ଭୁବନେଶ୍ୱର: ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ଉଲ୍ଲେଖିତ ଏକ ପତ୍ରରେ ଜଣାଇଛନ୍ତି।
ପତ୍ରରେ ଉଲ୍ଲେଖ ରହିଛି, ରାଜ୍ୟ ସରକାର ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ। ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଏହାର ସମାଧାନ ହୋଇପାରିବ ନହିଁ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୁଦୃଢ ପଦକ୍ଷେପ ଆବଶ୍ୟକ।

