ଧନଖଡ଼ ଇସ୍ତଫା ଦେବା ପରଠାରୁ ଦେଶର ଏହି ପୂର୍ବତନ ଉପରାଷ୍ଟ୍ରପତିଙ୍କର କୌଣସି କାର୍ଯ୍ୟକ୍ରମରେ ଦେଖା ମିଳୁନଥିଲା। ହେଲେ ଆଜି ତାଙ୍କର ଦେଖା ମିଳିଛି। ଆଜି ସିପି ରାଧାକ୍ରିଷ୍ଣନ ଶପଥ ନେବା ସମୟରେ ଜଗଦୀପ ଧନଖଡ଼ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ହମିଦ୍ ଅନସାରୀଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହେଇଥିଲେ। ଏତେ ଦିନ ଧନଖଡ ଥିଲେ କେଉଁଠି? ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଯୋଗୁଁ ସେ ଇସ୍ତଫା ଦେବାର କାରଣ ଦର୍ଶାଇଥିଲେ। ସତରେ କଣ ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା ନା ଅନ୍ୟ କାରଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଥାଉକି ଜୁଲାଇ ୨୧ ତାରିଖରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା । ଆଉ ଏହି ଦିନ ହଠାତ୍ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶେଇ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ । ତାଙ୍କ ଇସ୍ତଫା ପଛର କାରଣକୁ ନେଇ ସରଗରମ ହେଇଥିଲା ରାଜନୀତି। ଏମିତି କି ବିରୋଧୀମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେବେଠୁ ଜଗଦୀପ ଧନଖଡ଼ଙ୍କର କୌଣସି ଦେଖା ମିଳିନଥିଲା। ଦୀର୍ଘ ୫୩ ଦିନ ପରେ ଜଗଦୀପ ଧନଖଡ଼ଙ୍କ ଆଜି ଦେଖାମିଳିଛି।

