କାହା ଚାପରେ ଡିଜିପି ଓ ମୁଖ୍ୟ ଶାସନସଚିବ ଚୁପ୍ ?
କଟକ: କଟକ ହୋମଗାର୍ଡ ବିଭାଗରେ ଏକ ଚର୍ଚ୍ଚିତ ନାମ ହେଉଛନ୍ତି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଏସି) ବିଷ୍ଣୁପ୍ରସାଦ ମିଶ୍ର। ୬ ବର୍ଷରୁ ଅଧିକ ସମୟ ଧରି କଟକରେ ନିଜର ଦବଦବା ବଜାୟ ରଖିଥିବା ଏହି ଅଧିକାରୀଙ୍କୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରମୋସନ ଏବଂ ବଦଳି ହେବା ପରେ ବି ବିଷ୍ଣୁ ମିଶ୍ର କଟକରେ ତାଙ୍କର ପଦ ଛାଡିବାକୁ ନାରାଜ। କାହା ଆଶୀର୍ବାଦରେ ବା କାହା ଛତ୍ରଛାୟା ତଳେ ତାଙ୍କର ଏ ସାମ୍ରାଜ୍ୟ ଚାଲିଛି, ତାହା ଏବେ ତଦନ୍ତ ସାପେକ୍ଷ।
ସରକାର ନିକଟରେ ଗାଦିମାଡ଼ି ବସିଥିବା ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଷ୍ଣୁ ମିଶ୍ରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେଉ ନାହିଁ। ବାବୁ ଏଠାରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି ଏବଂ ରାଜ୍ୟ ସରକାରଙ୍କ ନିୟମକୁ ବେଖାତିର କରି ନିଜ ମନଇଚ୍ଛା କାର୍ଯ୍ୟ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ବିଷ୍ଣୁ ମିଶ୍ରଙ୍କ ନିକଟତର ହେଉଥିବା ହୋମଗାର୍ଡମାନଙ୍କୁ ଉତ୍ତମ ଥାନାରେ ଏବଂ ଭଲ ପୋଷ୍ଟିଂରେ ରଖି ସେ ଆର୍ଥିକ ଲାଭ ଉଠାଉଛନ୍ତି। ଅନ୍ୟପକ୍ଷରେ, ଯେଉଁ ହୋମଗାର୍ଡମାନେ ତାଙ୍କର ମନମୁଖୀ କାର୍ଯ୍ୟର ବିରୋଧ କରୁଛନ୍ତି, ସେମାନଙ୍କୁ ଡ୍ୟୁଟିରୁ ବଞ୍ଚିତ କରାଯାଉଛି କିମ୍ବା ଚାକିରୀରୁ ବାହାର କରିଦେବା ଭଳି ଧମକ ଦିଆଯାଉଛି। ଫଳରେ, ଅନେକ ହୋମଗାର୍ଡ ଭୟଭୀତ ହୋଇ ରହିଛନ୍ତି ଏବଂ ନ୍ୟାୟ ପାଇବା ପାଇଁ ସାହାସ କରିପାରୁ ନାହାନ୍ତି।
ଏଭଳି ସ୍ଥିତିରେ ହୋମଗାର୍ଡମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ତାଙ୍କର ସିଧାସଳଖ ଦୃଷ୍ଟି ଏହି ବିଷୟ ଉପରେ ପଡ଼ିଲେ ହିଁ ବିଷ୍ଣୁ ମିଶ୍ରଙ୍କର ଏ ଅପାର ଶକ୍ତିର ମୂଳୋତ୍ପାଟନ ହୋଇପାରିବ ଏବଂ ହୋମଗାର୍ଡ ବିଭାଗରେ ସ୍ୱଚ୍ଛତା ଫେରିଆସିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି। ବିଭାଗୀୟ ଉଚ୍ଚାଧିକାରୀ ଏବଂ ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

