କେନ୍ଦ୍ରାପଡ଼ା : କୋଚିଂ ସେଣ୍ଟରକୁ ଆସି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଦୁଇଦିନ ତଳୁ କୋଚିଂ ସେଣ୍ଟରକୁ ଆସି ନିଖୋଜ ହୋଇଥିଲେ ଯୁବତୀ । ଗତକାଲି ତାଙ୍କର ମୃତଦେହ ମାର୍ଶାଘାଇ ଲୁଣା ନଦୀ ବ୍ରିଜ ନିକଟରୁ ଉଦ୍ଧାର କରିଛି ପୋଲିସ । ଏହି ସୂଚନା ପାଇବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଡେରାବିଶ ଥାନା ମଲ୍ଲୀକେଶରପୁର ଗ୍ରାମର ହରପ୍ରସାଦ ସାମଲଙ୍କ ଝିଅ ସ୍ବାତୀସ୍ବରୂପା ସାମଲ (୨୧) । ଗତ ୬ ତାରିଖ ସନ୍ଧ୍ୟାରେ ତାଙ୍କର ମୃତଦେହ ମାର୍ଶାଘାଇ ଥାନା କୁସୁନୁପୁରସ୍ଥିତ ମଣି ମନ୍ଦିର ନିକଟ ଲୁଣା ନଦୀରୁ ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି । ୫ ତାରିଖ ଗୁରୁବାର ଝିଅ ସ୍ବାତୀସ୍ବରୂପା ନିଜ ଗାଁ ମଲିକେସ୍ବରପୁରରୁ ଲକ୍ଷ୍ମୀ ବସ ଯୋଗେ କେନ୍ଦ୍ରାପଡା ସହରର ଏକ ଘରୋଇ କୋଚିଂ ସେଣ୍ଟରକୁ ଆସି ନିଖୋଜ ହୋଇ ଯାଇଥିଲେ ।
ପରେ ତାଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା । ଘରଲୋକେ ବହୁତ ଖୋଜାଖୋଜି କରିବା ପରେ ବ୍ୟସ୍ତ ହୋଇ ପଡିଥିଲେ । ଝିଅ ନିଖୋଜ ହୋଇଯାଇଛି ବୋଲି ତାଙ୍କ ବାପା ଡେରାବିଶ ଥାନାରେ ଏତଲା ଦେଇଥିଲେ । ୬ ତାରିଖରେ ମୃତଦେହ ଉଦ୍ଧାର ପରେ ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ସ୍ବାତୀସ୍ବରୂପାର ଫୋନ ସିଡିଆର ରେକର୍ଡ଼ ଓ ପୋଷ୍ଟମଟମ ରିପୋର୍ଟ ପରେ ଜଣାପଡିବ କେମିତି ସ୍ବାତୀସ୍ବରୂପାର ମୃତ୍ୟୁ ହୋଇଛି ବୋଲି ଏସଡିପିଓ ଜୌତିରଞ୍ଜନ ଗୌଡ କହିଛନ୍ତି ।

