ଜଳେଶ୍ବର: ଜମାକାରୀଙ୍କ ଭରସା ଭାଙ୍ଗି ଦେଲା ପୋଷ୍ଟ ଅଫିସ । ଜମାକାରୀଙ୍କ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି ପୋଷ୍ଟ ମାଷ୍ଟର । ବର୍ଷ ବର୍ଷର ପରିଶ୍ରମ ଅର୍ଥକୁ ଫେରି ପାଇବା ପାଇଁ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଜମାକାରୀ । ଡାକଘର ଜମାଖାତାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ପୋଷ୍ଟ ମାଷ୍ଟର ହଡପ କରିଥିବା ଅଭିଯୋଗ କରିଛନ୍ତି ଜମାକାରୀ । ଏବେ ନିଜର କଷ୍ଟ ଅର୍ଜିତ ଟଙ୍କା ଫେରି ପାଇବା ପାଇଁ ଚିନ୍ତାରେ । ଏନେଇ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଅସନ୍ତୋଷ ।
ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣ ବାଡ଼ିଆ ଫୋଷ୍ଟ ଅଫିସରେ । ଏହି ଡାକଘରେ ପାଖାପାଖି ଛଅ ଶହ ଜମାକାରୀଙ୍କ ୧୫ ଶହରୁ ଅଧିକ ଖାତା ରହିଛି । କିନ୍ତୁ ଜମାକାରୀଙ୍କ ଖାତାରେ ଥିବା ଦେଢ଼ କୋଟିରୁ ଅଧିକ ଟଙ୍କା ହଡ଼ପ କରି ଫେରାର ହୋଇଛି ପୋଷ୍ଟ ମାଷ୍ଟର । ଏହି ପୋଷ୍ଟ ଅଫିସରେ ପ୍ରମିତ ରଞ୍ଜନ ଘଡାଇ ନାମକ ଜଣେ ପୋଷ୍ଟ ମାଷ୍ଟର ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ତବେ ଜମାକାରୀଙ୍କୁ ବିଭିନ୍ନ ଆଳ ଦେଖାଇ କେତେବେଳେ ସାଧା କାଗଜରେ ତ କେତେବେଳେ ରସିଦରେ ଷ୍ଟାମ୍ପ ମାରି ଟଙ୍କା ଡିପୋଜିଟ୍ କରି ନେଉଥିଲେ ପୋଷ୍ଟମାଷ୍ଟର । ଲୋକେ ବି କେନ୍ଦ୍ର ସରକାରଙ୍କ ସଂସ୍ଥା ଏବଂ ଷ୍ଟାମ୍ପକୁ ବିଶ୍ୱାସ କରି ଟଙ୍କା ଜମା କରି ଦେଉଥିଲେ । ମାତ୍ର ପୋଷ୍ଟ ମାଷ୍ଟର ପ୍ରମିତ ରଞ୍ଜନ ସେହି ଟଙ୍କାକୁ ଖାତାରେ ନପକାଇ ଚଳୁ କରି ନେଇଛି । ଏମିତିକି ଅନେକ ଜମାକାରୀଙ୍କ ଦସ୍ତଖତକୁ ଜାଲ କରି ତାଙ୍କ ଜମା ଖାତାରୁ ଟଙ୍କା ଉଠାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ ଦୁଇମାସ ତଳେ କିଛି ହିତାଧିକାରୀ ଜମା ଖାତାରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । କିନ୍ତୁ ଖାତାରେ ଟଙ୍କା ନଥିବା ଜାଣିବା ପରେ ସବୁ ସତ ଜଣା ପଡ଼ିଥିଲା । ଏନେଇ ଜମାକାରୀମାନେ ପଚାରିବାରୁ ପୋଷ୍ଟ ମାଷ୍ଟର ପ୍ରମିତ ରଞ୍ଜନ ହଡ଼ବଡ଼େଇ ଯାଇଥିଲେ । ଆଉ ସେହି ଦିନଠାରୁ ସେ ଫେରାର ଅଛନ୍ତି । ଏନେଇ ଜମାକାରୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ସମେତ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ପାଇ ନଥିବା ଅଭିଯୋଗ କରିଛନ୍ତି ।
ଗ୍ରାମର ନିଳାବତୀ ଗିରି ବାଇଗଣ ବାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବରେ କାର୍ଯ୍ୟ କରନ୍ତି । ଏହା ସହିତ ଲୋକଙ୍କ ଘରେ କାମ କରି ଏହି ପୋଷ୍ଟ ଅଫିସରେ ଟଙ୍କା ଜମା କରିଥିଲେ । ନିଜର ଘର ନଥିବାରୁ ପଲିଥିନ ଘେରା ଛପର ତଳେ ରହୁଛନ୍ତି ନିଳାବତୀ । ଆଶା କରିଥିଲେ ନିଜର ସଞ୍ଚିତ ଟଙ୍କାରୁ ଗୋଟିଏ ଘର କରିବେ ମାତ୍ର ପୋଷ୍ଟମାଷ୍ଟର ଟଙ୍କା ହଡ଼ପ କରି ନେବା ପରେ ନୂଆ ଘରେ ରହିବା ସ୍ବପ୍ନ ଭାଙ୍ଗି ଯାଇଛି । ସେହିପରି ପାରାଲିସିସ୍ ରୋଗରେ ପିଡ଼ିତ ହରିଶ୍ଚନ୍ଦ୍ର ମହାନ୍ତି ପୋଷ୍ଟ ଅଫିସରେ କିଛି ଟଙ୍କା ସଞ୍ଚୟ କରି ଔଷଧ ପାଇଁ ଖର୍ଚ୍ଚ କରୁଥିଲେ । ଏବେ ଟଙ୍କା ହଡ଼ପ ପରେ ନିଜ ପାଇଁ ଔଷଧ କିଣି ପାରୁନାହାନ୍ତି । ସେହିପରି ପଲିଥିନ ଘେରା ଛପର ତଳେ ରହୁଥିବା ମମତା ଦଣ୍ଡପାଟଙ୍କ ୧୩ ବର୍ଷର ପୁଅ ଗତବର୍ଷ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ । ସରକାରଙ୍କ ଠାରୁ ମିଳିଥିବା ସହାୟତା ଟଙ୍କାକୁ ଘର କରିବା ପାଇଁ ସେ ଏହି ପୋଷ୍ଟ ଅଫିସରେ ଜମା କରି ରଖିଥିଲେ । ମାତ୍ର ଟଙ୍କା ସବୁ ହଡ଼ପ ହୋଇଯିବା ପରେ କିପରି ଘର ତିଆରି କରିବେ ସେହି ଚିନ୍ତାରେ ଅଛନ୍ତି । ଏମିତି ଅନେକ ଜମାକାରୀ ଅଛନ୍ତି ଯେଉଁମାନେ ଆଗକୁ କିଛି କରିବାର ଆଶା ରଖି ଟଙ୍କା ଜମା ରଖିଥିଲେ । କିନ୍ତୁ ଏବେ ଟଙ୍କା ସବୁ ହଡ଼ପ ହୋଇଯିବା ପରେ ସେମାନେ ଦେଖିଥିବା ସ୍ୱପ୍ନ ସ୍ୱପ୍ନରେ ରହି ଯାଇଛି ।
ଯଦି ଘଟଣାର ତଦନ୍ତ କରି ଜମାକାରୀଙ୍କ ଟଙ୍କା ଫେରସ୍ତ ସହିତ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନଯାଏ ତାହାହେଲେ ଆସନ୍ତା ସପ୍ତାହରେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଜମାକାରୀ ।

