ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ ଯୁବତୀ ୫୯ଟି କୌଶଳ ବର୍ଗରେ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ସମାରୋହରେ ମୋଟ ୧୩୨ ଜଣ କୃତି ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରାଯାଇଛି। ୫୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୪୮ଜଣଙ୍କୁ ରୌପ୍ୟ ପଦକ ଏବଂ ୩୧ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଯାଇଛି। ସେହିପରି ୩୭ ଜଣଙ୍କୁ ଉତ୍କର୍ଷତା ପଦକ ଦିଆଯାଇଛି। କ୍ଲାଉଡ୍ କମ୍ପ୍ୟୁଟିଂ, CNC ମେସିନିଂ, ମୋବାଇଲ୍ ଆପ୍ ବିକାଶ, ୱେବ୍ ଟେକ୍ନୋଲୋଜି, ଫ୍ୟାସନ ଟେକ୍ନୋଲୋଜି ଏବଂ ୱେଲଡିଂ ପରି ଅତ୍ୟାଧୁନିକ କୌଶଳରେ ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇଥିଲେ। ରାଜ୍ୟୱାରୀ ପ୍ରଦର୍ଶନରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ବିହାର ଏବଂ ପଶ୍ଚିମବଙ୍ଗ ରହିଛନ୍ତି।
ଆଞ୍ଚଳିକସ୍ତରରେ ବିଜେତାମାନେ ଏବେ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଆଗାମୀ ଦିନରେ ବିଶ୍ୱସ୍ତରୀୟ ‘WorldSkills’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ସାହ ମଧ୍ୟରେ ଶେଷ ହୋଇଥିବା ଏହି କାର୍ଯ୍ୟକ୍ରମ ପୂର୍ବ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଆଶା ଓ ଆତ୍ମବିଶ୍ୱାସ ଭରିଦେଇଛି।

