ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ଧରାପଡିଲା ଶିକ୍ଷକଙ୍କ କାଣ୍ଡ। ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ବାଡ୍ । ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ଡାକୁଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି ୩ ଶିକ୍ଷକ। ଏଥିରେ ଜଣେ ପରୀକ୍ଷା କେନ୍ଦ୍ର ପରିଚାଳକ ଏବଂ ଦୁଇ ଜଣ ଶିକ୍ଷକ ଅଛନ୍ତି ।
ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ବାଡ୍ ଯାଞ୍ଚ ପାଇଁ କୈଳାଶପୁର ସରକାରୀ ହାଇସ୍କୁଲ ଗସ୍ତ ବେଳେ ସେଠାରେ ବାହାର ସ୍କୁଲର ୩ ଜଣ ଶିକ୍ଷକ ପରୀକ୍ଷା ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକମାନଙ୍କ ସହିତ ଆଲୋଚନା କରୁଥିବା ଏବଂ ପିଲାଙ୍କୁ କପି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ ୨ ଜଣ ଶିକ୍ଷକଙ୍କ ସମେତ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

