ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବଡ଼ଖବର । ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହେବେ ସ୍ୱାଧୀନ ପ୍ରାର୍ଥୀ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ନିଜ ପ୍ରାର୍ଥୀତ୍ୱ ନେଇ ପ୍ରକାଶ କରିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏପିରିକି ଦିଲ୍ଲୀପ ରାୟ ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କ ଦାଖଲ କରିବା ନେଇ ସୂଚନା ମିଳିଛି । ବିଜେପି ପକ୍ଷରୁ ଦିଲ୍ଳୀପଙ୍କୁ ସମର୍ଥନ କରାଯିବା ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ କରିଛନ୍ତି ।
ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବାକୁ ଦଳ ନୀତିଗତ ନିଷ୍ପତ୍ତି ନେଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ୪ର୍ଥ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଡ, ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହୋଇଛି । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ରହିଥିବା ବେଳେ ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ଭୋଟ୍ ଗଣତି ହେବ ।

