ନୂଆଦିଲ୍ଲୀ : ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ । ଇରାନର ମିସାଇଲ୍ ଶକ୍ତିକୁ ଆମେରିକା ଶେଷ କରିବ ବୋଲି କହିଛନ୍ତି ମାର୍କୋ ରୁବିଓ । ଇରାନ ବିରୁଦ୍ଧରେ ଚାଲିଥିବା ସାମରିକ ଅଭିଯାନର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । କହିଛନ୍ତି, ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନର ଆକ୍ରମଣ କରିବା ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା । ଇରାନର ବାଲିଷ୍ଟିକ ମିସାଇଲ୍ କ୍ଷମତା ଏବଂ ସେଗୁଡ଼ିକୁ ତିଆରି କରିବାର ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଆମେରିକାର ଲକ୍ଷ୍ୟ । ଇରାନର ନୌସେନା ଯେପରି ବିଶ୍ୱ ବାଣିଜ୍ୟ ଏବଂ ଜାହାଜ ଚଳାଚଳ ପାଇଁ ବିପଦ ସୃଷ୍ଟି ନକରେ ତାହା ନିଶ୍ଚିତ କରିବା ମଧ୍ୟ ଆମେରିକାର ଲକ୍ଷ୍ୟ ।
ରୁବିଓ କହିଛନ୍ତି, ଇରାନର ଜନସାଧାରଣ ନିଜ ସରକାରକୁ ହଟାଇ ଏକ ନୂଆ ଭବିଷ୍ୟତ ଗଢ଼ନ୍ତୁ ବୋଲି ଆମେରିକା ଚାହେଁ । କିନ୍ତୁ ବର୍ତ୍ତମାନର ସାମରିକ ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ବିପଜ୍ଜନକ ଅସ୍ତ୍ରଶସ୍ତ୍ରକୁ ଶେଷ କରିବା । ଆମେରିକା ଏବଂ ତାର ବନ୍ଧୁ ରାଷ୍ଟ୍ରମାନଙ୍କୁ ଇରାନର ଆକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମାର୍କୋ ରୁବିଓ ।

