ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ୬.୧ ତୀବ୍ରତାରେ ଥରିଲା ସୁମାତ୍ରା ଦ୍ୱୀପ । ମଙ୍ଗଳବାର ସକାଳେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୬.୧ ରହିଥିଲା । ସୁମାତ୍ରା ଦ୍ୱୀପର ସିନାବାଙ୍ଗଠାରୁ ପ୍ରାୟ ୬୫ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିଲାଭୂକମ୍ପର କେନ୍ଦ୍ରସ୍ଥଳ । ଭୂକମ୍ପ ପରେ ସୁନାମି ଆସିବାର କୌଣସି ଆଶଙ୍କା ନାହିଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୟରେ ଅନେକ ଲୋକ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନିର ଖବର ମିଳିନାହିଁ । ଇଣ୍ଡୋନେସିଆ “ରିଙ୍ଗ୍ ଅଫ୍ ଫାୟାର୍” ଅଞ୍ଚଳରେ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଥାଏ । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

