(‘ତ୍ରିନେତ୍ର’ ସଂପାଦକ ନିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ)
କଟକ : ସିଲଭର ସିଟି କଟକର ଚାଉଳିଆଗଞ୍ଜ ଥାନା ଏବେ ଅପରାଧୀଙ୍କ ପାଇଁ ନୁହେଁ, ବରଂ ଜଣେ ‘ରସିକ’ ଥାନାବାବୁଙ୍କ ରଙ୍ଗୀନ ମିଜାଜ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣାଯାଉଛି, ଥାନା ଭିତରେ କୁଆଡେ ଏବେ ଧାରା ଓ ଆଇନର ପାଠ ପଢାଯିବା ପରିବର୍ତ୍ତେ ‘ଗାନ୍ଧାର କଳା’ର ପ୍ରଦର୍ଶନ ଚାଲିଛି। ଥାନାବାବୁଙ୍କ ଏହି ନିଆରା ରାସଲୀଳା ଏବେ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି।
ସୂଚନା ଅନୁଯାୟୀ, ଥାନାବାବୁଙ୍କର ଧର୍ମଭୀରୁପଣ ଏତେ ବେଶି ଯେ, ସେ ଥାନା ପରିସରରେ ପୂଜାପାଠ ନକଲେ ରହିପାରୁ ନାହାନ୍ତି। କିନ୍ତୁ ଏହି ପୂଜାରେ ଏକ ରୋଚକ ଟ୍ୱିଷ୍ଟ ରହିଛି। ପୂଜା ପାଇଁ କୁଆଡେ ଜଣେ ‘କୁଆଁରୀ କନ୍ୟା’ଙ୍କ ଉପସ୍ଥିତି ଏକାନ୍ତ ଅପରିହାର୍ଯ୍ୟ । ଲୋକେ ଏବେ ଦ୍ୱନ୍ଦ୍ୱରେ—ଏହା ଥାନାବାବୁଙ୍କର କୌଣସି ଗୁପ୍ତ ସିଦ୍ଧି ପ୍ରାପ୍ତିର ପ୍ରୟାସ ନା ‘କୁଆଁରୀ କନ୍ୟା’ଙ୍କ ଗହଣରେ ରଙ୍ଗୀନ ମଉଜ କରିବାର ଏକ ନୂଆ ବାହାନା ? ଥାନା ଭଳି ଏକ ସମ୍ବେଦନଶୀଳ ସ୍ଥାନକୁ ସବୁବେଳେ ଜଣେ ଯୁବତୀଙ୍କ ଆଗମନ ଏବଂ ତାଙ୍କୁ ସରକାରୀ ଗାଡ଼ିରେ ବସାଇ ବାବୁଙ୍କର ସହର ପରିକ୍ରମା, ପୋଲିସ ବିଭାଗର ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୁହାଯାଉଛି କି ଚାଉଳିଆଗଞ୍ଜର ଏହି ମହାନୁଭବ ‘ଗାନ୍ଧାର କଳା’ରେ ବେଶ୍ ପାରଙ୍ଗମ। ବୋଧହୁଏ ସେ ଭୁଲିଯାଇଛନ୍ତି ଯେ ସେ ଏକ ଥାନାର ଦାୟିତ୍ୱରେ ଅଛନ୍ତି, କୌଣସି କଳା କେନ୍ଦ୍ରର ନୁହେଁ। ଥାନାର ଲାଇଟ୍, କ୍ୟାମେରା ଆଉ ଆକ୍ସନ ଭିତରେ ବାବୁ ଏବେ ନିଜକୁ ଜଣେ ‘ରୋମାଣ୍ଟିକ ହିରୋ’ ଭାବେ ଗଢି ତୋଳିବାରେ ବ୍ୟସ୍ତ। ସାଧାରଣ ଜନତା ନ୍ୟାୟ ପାଇଁ ଥାନାକୁ ଯିବାକୁ ଡରୁଥିବା ବେଳେ, କୁଆଁରୀ କନ୍ୟା ଜଣଙ୍କ ପାଇଁ ଥାନାଟି ‘ସେକେଣ୍ଡ ହୋମ୍’ ପାଲଟିଛି।
ରାଜ୍ୟରେ ଏବେ ମୋହନ ମାଝିଙ୍କ ନେତୃତ୍ୱରେ ‘ଡବଲ ଇଞ୍ଜିନ’ ସରକାର ଶାସନ କରୁଛନ୍ତି। ସୁଶାସନ ଓ ସ୍ୱଚ୍ଛତାର ଡିଣ୍ଡିମ ପିଟାଯାଉଥିବା ବେଳେ, ପୋଲିସ ବାବୁଙ୍କର ଏଭଳି “ଓପନ୍ ରୋମାନ୍ସ” ସରକାରଙ୍କ ଭାବମୂର୍ତ୍ତିକୁ ଜଳାଞ୍ଜଳି ଦେବା ପାଇଁ ଯଥେଷ୍ଟ। ଯଦି ଥାନାବାବୁଙ୍କର ଏହି ‘ରସିକିଆ’ ଅଭ୍ୟାସ ଉପରେ ଲଗାମ ନଲଗାଯାଏ, ତେବେ ଆଗକୁ ଲୋକେ ଥାନାକୁ ଅଭିଯୋଗ ନେଇ ନୁହେଁ, ବରଂ ‘ରାସଲୀଳା’ ଦେଖିବାକୁ ଯିବେ।
ରାଜ୍ୟ ଡିଜିପି ମହୋଦୟଙ୍କୁ ଅନୁରୋଧ—ଏହି ‘ଗାନ୍ଧାର କଳା’ର ପାରଦର୍ଶୀ ବାବୁଙ୍କ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ। ନଚେତ୍ ଖାକି ପୋଷାକର ସମ୍ମାନ କଟକର ଚାଉଳିଆଗଞ୍ଜ ନାଳରେ ଭାସିଯିବାକୁ ବେଶି ସମୟ ଲାଗିବ ନାହିଁ।

