Cm 2

ଭୁବନେଶ୍ବର: କଳାବଜାରୀଙ୍କ ଉପରେ ରହିବ ନଜର । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଜରୁରୀ ସାମଗ୍ରୀର ଯୋଗାଣ ପାଇଁ ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରିଛନ୍ତି । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂରେ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଆଗକୁ କୌଣସି ପ୍ରକାର ବାଧାବିଘ୍ନ ଉପୁଜିଲେ ମଧ୍ୟ ଯୋଗାଣ ଶୃଙ୍ଖଳାକୁ କିଭଳି ବଜାୟ ରଖାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ଯେକୌଣସି ପରିସ୍ଥିତିରେ ବି ଖାଦ୍ୟଶସ୍ୟ, ଔଷଧ ଏବଂ ପେଟ୍ରୋଲ, ଡିଜେଲ ଭଳି ଜରୁରୀ ସାମଗ୍ରୀ ଯେପରି ଲୋକଙ୍କୁ ସହଜରେ ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି ନିରନ୍ତର ଯୋଗାଣ ।

ସାମଗ୍ରୀର ଅଭାବ ଏଡାଇବାକୁ ପ୍ରତି ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ସୁରକ୍ଷିତ ଭାବେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିନିଷପତ୍ରର ଅଯଥା ଦରବୃଦ୍ଧି ଏବଂ ବେଆଇନ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଯଦି ମୁଖ୍ୟ ରାସ୍ତାଘାଟ ବନ୍ଦ ହୁଏ, ତେବେ ବିକଳ୍ପ ପରିବହନ ମାର୍ଗ ଏବଂ ସାମୟିକ ଗୋଦାମ ଘର ପ୍ରସ୍ତୁତ ରଖିବାକୁ ଯୋଜନା କରାଯାଇଛି ।  ଜିଲ୍ଲା ସ୍ତରରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗୁଡ଼ିକୁ ସକ୍ରିୟ କରାଯାଇଛି । ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଶାସନ ସବୁବେଳେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Share