ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ । ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା । ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ । ବିଜୁ ପଟ୍ଟନାୟକ ସାରା ଭାରତର ଜଣେ ବଡ଼ ଜନନାୟକ ଥିଲେ । ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ବୋଲି କହିଛନ୍ତି ସଞ୍ଜୟ ସିଂହ । ଆଜି ବିଜେପି ତାଙ୍କୁ ସିଆଇଏ ଏଜେଣ୍ଟ କହି ଘୋର ଅପମାନିତ କରିଛି । ଏଥିପାଇଁ ଓଡ଼ିଶାର ଜନସାଧାରଣ ବିଜେପିକୁ କେବେ ବି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।
ସିଆଇଏ ଏଜେଣ୍ଟ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କଡ଼ା ଭାଷାରେ କହିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଅଜ୍ଞ ଘୃଣା ପ୍ରଚାରକାରୀଙ୍କୁ ଉଚିତ୍ ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ। ବିଜୁ ବାବୁଙ୍କୁ ସିଆଇଏ ଏଜେଣ୍ଟ କହିବା ପରେ ଏମାନେ ଆଉ କେଉଁ ସୀମା ପାର୍ କରିବେ ବୋଲି ପ୍ରଶ୍ନ କରିଛନ୍ତି ମହୁଆ।
ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ବି ବିଜୁବାବୁଙ୍କୁ ଅପମାନ ନେଇ ବର୍ଷିଛନ୍ତି। ଭାରତ ରତ୍ନ ବଦଳରେ ଅପମାନ ମିଳିଥିବା କହିଛନ୍ତି ପ୍ରିୟଙ୍କା। ବିଜେପି ଏଥିପାଇଁ କ୍ଷମା ମାଗିବା ଉଚିତ୍। ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କୁ ଅପମାନ ପ୍ରସଙ୍ଗରେ କମ୍ପିଲା ବିଧାନସଭା। ପ୍ରଶ୍ନକାଳରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ।
ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କୁ ଅପମାନ ଓଡ଼ିଶା ବାସୀଙ୍କୁ ଅପମାନ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଇତିହାସ ଜାଣି ନାହାନ୍ତି ବୋଲି ବିଜେଡି କହିଛି। ସେହିପରି ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ କହିଛି। ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ସାଂସଦ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି। ଏହା ଉପରେ ଆଉ କୌଣସି ରାଜନୀତି କରାଯିବା ଉଚିତ୍ ନୁହେଁ।

