ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।
ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବିପୁଳ ପରିମାଣର ଲାଞ୍ଚ ଟଙ୍କା କାରବାର କରୁଥିବା ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଶ୍ରୀ ଭୋଳଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଅଟକାଯାଇଥିଲା । ତାଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।
ଏହା ପରେ ସମ୍ବଲପୁର, ଭୁବନେଶ୍ୱର ଏବଂ ଗଞ୍ଜାମର ଭଞ୍ଜନଗର ସ୍ଥିତ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ବାସଭବନରୁ ଆଉ ୫ ଲକ୍ଷ ଟଙ୍କା ମିଳିଛି । ଭଉଣୀ ଘରେ ଟଙ୍କା ପାହାଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ତାଙ୍କ ଭଉଣୀଙ୍କ ଘରେ ଦୁଇଟି ଟ୍ରଙ୍କ୍ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୭୦ ବିଡା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି । ଚଢ଼ାଉ ଶେଷ ହେବା ପରେ ମୋଟ କେତେ ଟଙ୍କା ମିଳିଲା ତାହା ଜଣାପଡିବ।

