ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ନୋଏଡା ଏବଂ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ। ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଶ୍ରମିକ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାମ କରନ୍ତି, ତେବେ ସେମାନେ ଏବେ ସେମାନଙ୍କର ସାଧାରଣ ମଜୁରୀର ଦୁଇଗୁଣ ପାଇବେ। ଶ୍ରମିକ ମାନଙ୍କ କଠିନ ପରିଶ୍ରମର ଉପଯୁକ୍ତ ସ୍ୱୀକୃତି ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଅନେକ ସ୍ଥାନରେ ଓଭରଟାଇମ୍ ପାଇଁ ଠିକ୍ ଭାବରେ ମଜୁରୀ ପ୍ରଦାନ କରାଯାଉନଥିଲା, ଯାହା ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏତଦ୍ବ୍ୟତୀତ ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ ଶ୍ରମିକଙ୍କ ଦରମା ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଏହା ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ମଧ୍ୟସ୍ଥିଙ୍କ ଭୂମିକା ଦୂର କରିବ।
ଶ୍ରମିକମାନେ ସମୟାନୁସାରେ ଦରମା ପାଇବେ, ଯାହା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଯଦି କେହି କମ୍ପାନୀ ଏହି ନିୟମ ଉଲ୍ଲଂଘନ କରନ୍ତି , ତେବେ କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆହୁରି ମଧ୍ୟ ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ଯେ , ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସବୁ କମ୍ପାନୀ ଯୌନ ନିର୍ଯାତନା ମାମଲା ଗୁଡ଼ିକର ସମାଧାନ ପାଇଁ ଜଣେ ମହିଳା ସଦସ୍ୟଙ୍କ ନେତୃତ୍ୱରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ପଡିବ। ୟୁପି ସରକାର କାର୍ଯ୍ୟସ୍ଥଳରେ ଅଭିଯୋଗ କମିଟି ପ୍ରତିଷ୍ଠା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଶ୍ରମିକଙ୍କ ଅଭିଯୋଗର ସମାଧାନ ପାଇଁ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି। ଶ୍ରମିକମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଯାହା ଦ୍ୱାରା ସେମାନେ ସେମାନଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ। ସରକାର ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

