କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରାଯାଉଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଟିଏମସି ସାଂସଦଙ୍କ ଅଫିସର ଝରକାରେ ଥିବା କାଚ, ସାଇନବୋର୍ଡ୍ ଓ ଫର୍ନିଚରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲେ ଉତ୍ତ୍ୟକ୍ତ ଲୋକେ ।
ଲୋକଙ୍କ ଅଭିଯୋଗ ଯେ, ଏହି ଅଞ୍ଚଳରେ ଗରିବ ଓ ବନ୍ୟା ପୀଡିତଙ୍କ ପାଇଁ ଆସିଥିବା ସରକାର ବନ୍ୟା ରିଲିଫ୍ ସାମଗ୍ରୀକୁ ସାଂସଦ ନିଜ ଅଫିସ ଭିତରେ ଲୁଚାଇ ରଖିଥିଲେ । ଲୋକଙ୍କ କହିବା ଅନୁସାରେ, ଟିଏମସି ସାଂସଦଙ୍କ ଏହି ଅଫିସ ଏକ ପୋଖରୀ ଉପରେ ଅବୈଧ ଭାବେ କବଜା କରି ନିର୍ମାଣ କରାଯାଇଥିଲା ।
ଅଫିସ ଉପରେ ହୋଇଥିବା ଏହି ଆକ୍ରମଣ ପରେ ବାପି ହଲଦର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । ଟିଏମସି ସାଂସଦ କହିଛନ୍ତି, ପାର୍ଟି କାର୍ଯ୍ୟାଳୟରେ କିଛି ବି ବେଆଇନ ଭାବରେ ଜମା କରାଯାଇନଥିଲା । ଯାହାକି ଜିନିଷ ରଖାଯାଇଥିଲା, ଆମେ ନିଜ ଟଙ୍କାରେ କିଣିଥିଲୁ । ଯାହାଫଳରେ ବନ୍ୟା ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପରେ ଦକ୍ଷିଣ ୨୪ ପ୍ରଗଣାର ସୋନାରପୁରରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ହୁଗୁଳିରେ ପୋଲିସ ଥାନା ବାହାରେ ଆକ୍ରମଣ ହୋଇଥିଲା । ଆଉ ଏବେ ଟିଏମସି ସାଂସଦ ବାପି ହଲଦରଙ୍କ ଉପରେ ଆକ୍ରମଣ ହୋଇଛି ।

