Crocodile

ରାଜନଗର: ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର । କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ କ୍ଷମାନିଧି ଗାଧୋଉଥିବା ବେଳେ ୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା । ତେବେ କୁମ୍ଭୀର ଆକ୍ରମଣରେ ଆହତ କ୍ଷମାନିଧିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦୁଇ ଗୋଡ଼ରେ ପ୍ରାୟ ୫୦ଟି କ୍ଷତ ହୋଇଛି । ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ସହ କ୍ଷମାନିଧି ଓ ଗ୍ରାମବାସୀଙ୍କ ଲଢେଇ ହୋଇଥିଲା ।

ସେହିପରି ଗତକିଛି ଦିନ ତଳେ ବାରଙ୍ଗ ମୁଣ୍ଡଳୀ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । ମହାନଦୀରେ ଏକ କୁମ୍ଭୀରଟି ଟାପୁ ପାଖରେ ପହଁରୁ ଥିବା ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ । ଭୟରେ ସେମାନେ କୂଳକୁ ଚାଲି ଆସିଥିଲେ । ତେବେ ଏହା ଥଣ୍ଟିଆ କୁମ୍ଭୀର ବୋଲି ଅନୁମାନ କରାଯାଉଥିଲା । କୁମ୍ଭୀରଟି ପ୍ରାୟ ୭ ରୁ ୮ ଫୁଟ ଲମ୍ବହେବ । ପୂର୍ବରୁ ଅନେକଥର ଏଭଳି ଭାବେ କୁମ୍ଭୀରଟି ମହାନଦୀରେ ବୁଲୁଥିବା ଲୋକେ ଦେଖିଥିଲେ ।

Share