166

କଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳୀୟ ସାଥୀମାନେ ମମତାଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏବେ ଖୋଦ ମମତା ନିଜେ ଅଡୁଆରେ ପଡିଛନ୍ତି। ପୁଲିସ କହିବା ଅନୁଯାୟୀ ହାରେ ଷ୍ଟ୍ରିଟ୍ ଥାନାରେ ଗତ ୭ ତାରିଖ ଅପରାହ୍ଣ ୩ଟା ୪୫ ମିନିଟ୍‌ରେ ମମତାଙ୍କ ବିରୋଧରେ ବିଏନଏସ୍‌ର ଧାରା ୧୯୬(୧), ୩୫୧ (୨) ଓ ୩୫୨ରେ ମାମଲା ରୁଜୁ କରାଯାଇଛି। ତୁଷାରକାନ୍ତି ଦାସଙ୍କ ଅଭିଯୋଗ ଆଧାରରେ ଏହି ଏଫଆଇଆର ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚ ୯ ତାରିଖରେ ମମତା ଧରମତାଲାରେ ଆୟୋଜିତ ଧାରଣା ମଞ୍ଚରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ। ମମତାଙ୍କ ଏହି ଭାଷଣ ସାମାଜିକ ସଦ୍‌ଭାବକୁ ନଷ୍ଟ କରିବା ସହିତ ସମାଜର ଶାନ୍ତି ଓ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ହୋଇଛି। ଏପରି କି ମମତାଙ୍କ ଭାଷଣ ଦେଶର ଗଣତାନ୍ତ୍ରିକ କାର୍ଯ୍ୟଧାରା ପ୍ରତି ବିପଦ ସୃଷ୍ଟି କରିଥିବା କୁହାଯାଇଛି। ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମମତାଙ୍କ ବିରୋଧରେ ରୁଜୁ ଏଫଆଇଆର ଉପରେ ତଦନ୍ତ ଆରମ୍ଭ ହୋଇଛି। ମମତାଙ୍କ ଭାଷଣର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରାଯାଉଛି। ମମତାଙ୍କ ବିରୋଧରେ ରୁଜୁ ହୋଇଥିବା ଏହି ମାମଲାକୁ ଟିଏମସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଏହି ମାମଲା ରୁଜୁ ପରେ ପଶ୍ଚିମବଙ୍ଗ ରାଜନୈତିକ ଉତ୍ତେଜନା ପୁଣି ବଢିଛି।

Share