Murder

ମଧ୍ୟପ୍ରଦେଶ : ବନ୍ଦ କୋଠରୀର ଅନ୍ଧାର ରାତିରେ ଘଟିଗଲା ବୀଭତ୍ସ ଓ ଲୋମ ଟାଙ୍କୁରା କାହାଣୀ । ଗୁଜରାଟ ଗାନ୍ଧୀନଗର ନ୍ୟାସନାଲ ହାଇୱେ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ ପ୍ରେମିକାର ଗଳା କାଟିଦେଇଛି ପ୍ରେମିକ । ଆଉ ପ୍ରେମିକାକୁ ହତ୍ୟା କରିବା ପରେ ନିଜ ଜୀବନ ଶେଷ କରିବାକୁ ଚେଷ୍ଟା କରିଛି ପ୍ରେମିକ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ମଧ୍ୟପ୍ରଦେଶ ପିପରସମା ଗାଁର ସନ୍ତୋଷ ଜାଟକ ପେଶାରେ ଜଣେ ବିଲ୍ଡର ଥିଲେ । ସେ ତାଙ୍କ ଗାଁର ବ୍ରଜଲାଲ ଧକଡ଼ଙ୍କ ଘର ନିର୍ମାଣ କରୁଥିଲେ । ସେହି ସମୟରେ ସନ୍ତୋଷ ବ୍ରଜଲାଲଙ୍କ ୨୧ ବର୍ଷିୟା ଝିଅ ରଜନୀଙ୍କୁ ଭଲ ପାଇଥିଲେ । ଉଭୟ ୩ ବର୍ଷର ସଂପର୍କରେ ସ୍ବପ୍ନର ଘର ଗଢିବାକୁ ଚାହୁଁଥିଲେ । ହେଲେ ଉଭୟଙ୍କ ଘର ଗୋଟିଏ ଗାଁ ହୋଇଥିବାରୁ ପରିବାର ଲୋକେ ରାଜି ହୋଇନଥିଲେ । ତେଣୁ ଶେଷରେ ଘର ଛାଡ଼ି ପଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଦୁହେଁ।

ଜୁନ୍ ୭ ତାରିଖରେ ସନ୍ତୋଷ ଓ ରଜନୀ କାହାକୁ କିଛି ନକରି ଘରୁ ପଳାଇ ଯାଇଥିଲେ । ସେମାନେ ଗୁଜରାଜର ରାଜକୋଟ ଯାଇ ସେଠାରେ ଘର ଭଡ଼ା ନେଇ ରହୁଥିଲେ । ଘରୁ ଝିଅ ଫେରାର ହୋଇଥିବା ବାପା ବ୍ରିଜଲାଲ ଶିବପୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

ପୋଲିସ ତଦନ୍ତ କରି ସନ୍ତୋଷ ଓ ରଜନୀ ରାଜକୋଟରେ ରହିଥିବା ଖବର ପାଇଥିଲା । ତେଣୁ ପରିବାର ଲୋକ ଏବଂ ପୋଲିସ ଝିଅ ରଜନୀକୁ ଆଣିବା ପାଇଁ ରାଜକୋଟ ଯାଇଥିଲେ । ଆଉ ରାଜକୋଟରୁ ରଜନୀ ଓ ସନ୍ତୋଷଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଦିନ ସାରା ଥକି ଯାଇଥିବାରୁ ପୂରା ଟିମ୍ ୧୧ ଜୁନ ରାତିରେ ଗାନ୍ଧୀନଗର ହାଇୱେରେ ଏକ ହୋଟେଲରେ ବିଶ୍ରାମ ନେଇଥିଲେ । ଗୋଟିଏ ବିଛଣାରେ ରଜନୀଙ୍କ ଭାଇ ପ୍ରବେନ୍ଦ୍ର, ନୀରଜ ଓ କନଷ୍ଟେବଳ ବଦନସିଂହ ଶୋଇଥିବା ବେଳେ ଅନ୍ୟ ଏକ ବିଛଣାରେ ହେଡ୍ କନଷ୍ଟେବଳ ଦୀପଚନ୍ଦ ଶୋଇଥିଲେ । ରଜନୀ ତଳେ ଗଦି ପକାଇ ଶୋଇଥିଲେ । ସନ୍ତୋଷ ଦୁଇଟି ବିଛଣା ମଝିରେ ଥିବା ଖାଲି ଜାଗାରେ ଶୋଇଥିଲେ । କୋଠରୀର ଲାଇଟ୍ ବନ୍ଦ କରିଦିଆଯାଇଥିଲା । କ୍ଲାନ୍ତ ଯୋଗୁଁ ସମସ୍ତେ ଗଭୀର ନିଦ୍ରାରେ ଶୋଇପଡ଼ିଲେ । ଆଉ ମଧ୍ୟରାତ୍ରିରେ ସନ୍ତୋଷ ନିଜ ପାଖରେ ଲୁଚାଇ ରଖିଥିବା ଛୁରୀରେ ରଜନୀଙ୍କ ମୁଣ୍ଡକୁ ନିଜ କୋଳରେ ରଖି ବେକ କାଟି ଦେଇଥିଲେ । ପ୍ରେମିକାର ଶ୍ୱାସକ୍ରିୟା ବନ୍ଦ ହେବା ପରେ ସନ୍ତୋଷ ସେହି ଛୁରୀରେ ନିଜକୁ ଶେଷ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ହେଡ୍ କନଷ୍ଟେବଳ ଦୀପଚନ୍ଦଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ସେ ଯାହା ଦେଖିଥିଲେ, ଏହାକୁ ଦେଖି ଅବାକ୍ ହୋଇଯାଇଥିଲେ ।

ହୋଟେଲ କୋଠରୀରେ ଘଟିଥିବା ଏହି ଅତି ସାଂଘାତିକ ହତ୍ୟାକାଣ୍ଡ ପରେ ହୋଟେଲ ମ୍ୟାନେଜରଙ୍କୁ ସୂଚନା ଦିଆଯାଇଥିଲା । ପୋଲିସକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Share