Social media app

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ, ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବ ।

ଖବର ମୁତାବକ, ଲୋକପ୍ରିୟ ବିଶ୍ୱସ୍ତରୀୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲାଗିପାରେ । ଏଥିରେ TikTok, Instagram, Facebook, X, YouTube, Snapchat, Threads, Twitch, Kick, ଏବଂ Reddit ଅନ୍ତର୍ଭୁକ୍ତ । ୧୬ ବର୍ଷରୁ କମ୍ ବୟସର ପିଲାମାନେ ଏହି ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ ।

ତେବେ ଏହାକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା । ଅନେକ ବଡ଼ କମ୍ପାନୀ ସରକାରଙ୍କୁ ନିଜ ନିଷ୍ପତ୍ତି ଫେରାଇ ନେବାକୁ ଚାପ ପକାଇଛନ୍ତି, କିନ୍ତୁ ଏହି ନିଷ୍ପତ୍ତି ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଏହାସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଟେକ୍ କମ୍ପାନୀ ଉପରେ ଚାପ ପଡିଛି । ସରକାର କମ୍ପାନୀ ଉପରେ ବୟସ ସତ୍ୟାପନ ଲାଗୁ କରିବା ପାଇଁ କହିଛନ୍ତି । ଏହାସହିତ ପିଲାଙ୍କୁ ଅଶ୍ଳୀଳ ଫଟୋ ଇତ୍ୟାଦିରୁ ଦୂରେଇ ରଖିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ।

ଗତବର୍ଷ ଅଷ୍ଟ୍ରେଲିଆରେ ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧନ ଲଗାଯାଇଥିଲା । ଏହାପରେ ୟୁରୋପ ସମେତ ଅନେକ ଦେଶ ଏହାକୁ ପ୍ରଶଂସା କରିଥିଲେ । ନିକଟରେ କାନାଡ଼ା ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ ଏବଂ ଇଣ୍ଡୋନେସିଆ ଭଳି ରାଷ୍ଟ୍ର ମଧ୍ୟ ସାମାଜିକ ଗଣମାଧ୍ୟମରେ ପିଲାମାନଙ୍କର ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି ।

Share