କୋମନା ବିଡିଓଙ୍କୁ ମାଡ଼, ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା

3

ନୂଆପଡ଼ା: କୋମନା ବ୍ଲକ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା। ବିଡିଓଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବିଡିଓ କୋମନା ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ଠିକାଦାର ଫେରାର ଥିବା ଜଣାପଡ଼ିଛି। ଘଟଣାକୁ ନେଇ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫଦାରୀ ସହ କର୍ମଚାରୀଙ୍କ ସୁରକ୍ଷା ଦାବିରେ ସମୂହ କଲମ ଛାଡ଼ ଆନ୍ଦୋଳନ କରି କାର୍ଯ୍ୟବନ୍ଦ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ଠିକାଦାର ଅଶୋକ ଭୋଇ ଦୀର୍ଘଦିନ ଧରି ବ୍ଲକ ଅଧୀନରେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କର ବିଲ୍ ଟଙ୍କା ପାଇନଥିବା ଅଭିଯୋଗ କରି ଆସୁଥିଲେ। ବକେୟା ବିଲ୍ ପାଇବା ଆଶାରେ ସେ ବ୍ଲକ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପର୍ଯ୍ୟନ୍ତ ଦୌଡ଼ି ନିରାଶ ହୋଇଥିଲେ। ତଥାପି ସମସ୍ୟାର ସମାଧାନ ନହେବାରୁ ଆଜି ପୁଣିଥରେ ବିଲ୍ ପ୍ରଦାନ ଦାବିରେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ବିଡିଓ ପବିତ୍ର ସାମଲଙ୍କ ସହ ବିଲ୍ ସମ୍ପର୍କିତ ଆଲୋଚନା ଚାଲିଥିବା ବେଳେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ଠିକାଦାର ଜଣକ ବିଡିଓଙ୍କୁ ଆକ୍ରମଣ କରିଥିବା ବିଡିଓ ଅଭିଯୋଗ କରିଛନ୍ତି।

ଏହାପରେ ବିଡିଓ ସାମଲ କୋମନା ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଅଶୋକ ଭୋଇ ଫେରାର ଥିବା ସୂଚନା ମିଳିଛି। ଏହି ଘଟଣାର ପ୍ରତିବାଦରେ ବ୍ଲକର ସମସ୍ତ କର୍ମଚାରୀ ଏକଜୁଟ ହୋଇ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। କାର୍ଯ୍ୟାଳୟର କାମ ବନ୍ଦ ରଖି ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ ସହ ସରକାରୀ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ଉଠାଇଛନ୍ତି। ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କ ସହ ଏଭଳି ଘଟଣା ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର।

Share