୨୫ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Newindianexpress 2024 05 e9e6e4d2 cd9f 4907 bb7a c3217c7a13c0 rainy1 0705chn 17 750x430

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା ଥିବାବେଳେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗୁଣ୍ଡିଚା ତୁଳନାରେ ଅପେକ୍ଷାକୃତ ବର୍ଷା ପରିମାଣ କମ୍‌ ରହିବା ସମ୍ଭାବନା ଅଛି। ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ୨୫ ଯାଏଁ ରାଜ୍ୟରେ ବର୍ଷା ରହିପାରେ । ପୁରୀ ତୁଳନାରେ ବାହୁଡ଼ାରେ ଭୁବନେଶ୍ୱରରେ ବର୍ଷା ଅଧିକ ହୋଇପାରେ ।

ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ରହିଛି। ସେହିପରି ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ରାଜ୍ୟରେ ୨୮ ଯାଏଁ ବର୍ଷା ରହିବ। ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି, ସହରାଞ୍ଚଳରେ କୃତ୍ରିମ ବନ୍ୟା ଏବଂ ରାସ୍ତାଘାଟରେ ଯାତାୟାତ ବ୍ୟାହତ ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ବଜ୍ରପାତ ସମୟରେ ଅନାବଶ୍ୟକ ଭାବେ ବାହାରକୁ ନ ଯିବା, ବଡ଼ ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣିପାଗ ବିଭାଗର ପରାମର୍ଶ ପାଳନ କରିବାକୁ ଲୋକଙ୍କୁ ସତର୍କ କରାଯାଇଛି।

 

Share