ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କରିବା ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

23bbs 55 23082026 112 2026 08 23 19 33

ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲପିଜି ପରିବର୍ତ୍ତେ ପାଇପ୍‌ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍‌ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ ବିତରକ ଓ ତୈଳ ବିପଣନ କମ୍ପାନିଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ ପାଇଁ ଜିଲ୍ଲାସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଛି। ପିଏନ୍‌ଜି ସଂଯୋଗ ନେବାରେ ବିଫଳ ହେଉଥିବା ପରିବାରଗୁଡ଼ିକୁ ଏଲ୍‌ପିଜି ନଯୋଗାଇବା ଦିଗରେ ସେମାନେ ସହାୟକ ହେବେ। ଚଳିତମାସ ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସଚିବ ନୀରଜ ମିତ୍ତଲ ମୁଖ୍ୟ ସଚିବମାନଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି। ପିଏନ୍‌ଜି ଅଧିକ ନିରାପଦ, ସ୍ବଚ୍ଛ ଏବଂ ଦକ୍ଷ ରନ୍ଧନ ଇନ୍ଧନ। ଏହା ଲୋକଙ୍କ ପାଖରେ ପହଞ୍ଚିଲେ ଏଲ୍‌ପିଜି ବିତରଣ ନେଇ ପରିବହନଜନିତ ସମସ୍ୟା ଦୂର ହେବ। ଏଥିସହିତ ବିପୁଳ ନିବେଶରେ ଦେଶରେ ପ୍ରତିଷ୍ଠା ହୋଇଥିବା ସିଟି ଗ୍ୟାସ ବଣ୍ଟନ ଭିତ୍ତିଭୂମିର ଅଧିକ ଉପଯୋଗ କରାଯାଇ ପାରିବ। ଯେଉଁ ଅଞ୍ଚଳରେ ପାଇପ୍‌ ଗ୍ୟାସ ସୁବିଧା ଉପଲବ୍ଧ ରହିଛି ସେଠାରେ ପରିବାରଗୁଡ଼ିକୁ ଉଭୟ ଏଲ୍‌ପିଜି ଓ ପିଏନ୍‌ଜି ନ ରଖାଇ ଦେବା ନିମନ୍ତେ ଜିଲ୍ଲାସ୍ତରରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳରେ ସିଜିଡି (ସିଟି ଗ୍ୟାସ ବଣ୍ଟନ) ସଂସ୍ଥା ଏବଂ ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନିଙ୍କ ମଧ୍ୟରେ ଏକ ପିଏନ୍‌ଜି ସମନ୍ବୟ କମିଟି (ପିସିସି) ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରାଳୟ କହିଛି। ପିଏନ୍‌ଜି ସଂଯୋଗ ବଢ଼ାଇବା ପାଇଁ ଯୋଗ୍ୟ ହାଉସିଂ ସୋସାଇଟି ଓ ପରିବାରଗୁଡ଼ିକୁ ଏହି କମିଟି ନୋଟିସ ପଠାଇବା ସହ ସଚେତନତା କାର୍ଯ୍ୟକ୍ରମ କରିବ। ପିଏନ୍‌ଜି ସମନ୍ବୟ କମିଟି ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାସ୍ତରୀୟ ପ୍ରଶାସନିକ ସହାୟତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀମାନେ ଉତ୍ତମ ସାବ୍ୟସ୍ତ ହେବେ। ତେଣୁ ଏହି ବିଭାଗର ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ଯାହାଙ୍କର ପାହ୍ୟା ଜିଲ୍ଲା ଯୋଗାଣ ଅଧିକାରୀରୁ କମ୍‌ ହୋଇ ନଥିବ ତାଙ୍କୁ କମିଟିକୁ ମନୋନୀତ କରିବା ପାଇଁ ‌କେନ୍ଦ୍ର ପେଟ୍ରୋଲିୟମ ସଚିବ ଉଲ୍ଲେଖ କରିଛନ୍ତି। ଉକ୍ତ ଅଧିକାରୀମାନଙ୍କ ନାମ, ପଦବି ଏବଂ ଠିକଣା ଶୀଘ୍ର ପ୍ରଦାନ କରାଗଲେ ପିସିସି ସଦସ୍ୟମାନେ ସେମାନଙ୍କ ସହିତ ଯୋଗାଯୋଗ ରଖି ପିଏନ୍‌ଜି ସଂପ୍ରସାରଣ କାର୍ଯ୍ୟକୁ ଆଗକୁ ନେବେ ବୋଲି କୁହାଯାଇଛି।

Share