ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

Chennai rain 013218389 16x9

ବାଲେଶ୍ୱର: ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ ଜୁଲାଇ ଏବଂ ଅଗଷ୍ଟ ମାସର ସମୁଦାୟ ବୃଷ୍ଟିପାତ ତୁଳନାରେ ଚଳିତ ୨୦୨୬ ବର୍ଷରେ ସର୍ବାଧିକ ବର୍ଷା ହୋଇଛି । ବିଶେଷ କଥା ହେଉଛି, ଅଗଷ୍ଟ ମାସ ଶେଷ ହେବା ପୂର୍ବରୁ ଏହି ପରିମାଣ ୧୧୬୮.୬ ମିଲିମିଟରରେ ପହଞ୍ଚି ପୂର୍ବର ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି  । ଚଳିତ ବର୍ଷ କେବଳ ୧ ଜୁଲାଇରୁ ୨୩ ଅଗଷ୍ଟ ମଧ୍ୟରେ ୧୧୬୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ଗତ ୧୯ ବର୍ଷ ମଧ୍ୟରେ ସର୍ବୋଚ୍ଚ ।

ଏହା ପୂର୍ବରୁ ୨୦୧୪ ମସିହାରେ ସର୍ବାଧିକ ୯୬୯.୨୩ ମିମି ବୃଷ୍ଟିପାତ ହୋଇଥିଲା । ଚଳିତ ବର୍ଷ ଏହାକୁ ବହୁ ବ୍ୟବଧାନରେ ଟପିଯାଇଛି । ୨୦୨୨ରେ ୮୦୫.୧୯ ମିମି ଏବଂ ୨୦୦୯ରେ ୭୫୦.୩୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୨୦୨୪ରେ ସର୍ବନିମ୍ନ ମାତ୍ର ୩୮୪.୦୮ ମିମି ବୃଷ୍ଟିପାତ ହୋଇଥିଲା । ୨୦୨୪ରେ ୩୮୪.୦୮ ମିମି ଏବଂ ୨୦୨୫ରେ ୪୯୪.୬୫ ମିମି ତୁଳନାରେ ୨୦୨୬ରେ ବର୍ଷାର ପରିମାଣ ଦୁଇରୁ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ଅଗଷ୍ଟ ମାସ ଶେଷ ହେବାକୁ ଆହୁରି କିଛି ଦିନ ବାକି । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା । ତେଣୁ ମୋଟ ବୃଷ୍ଟିପାତ ପରିମାଣ ଆହୁରି ବୃଦ୍ଧି ପାଇବ। ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବାରମ୍ବାର ଜଳବନ୍ଦୀ ସମସ୍ୟା ଉପୁଜିଛି ।

Share