ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର, ୬ ହଜାର ଲାଞ୍ଚ ନେଇ ବନ୍ଧା ହେଲେ

Drugs

ଭୁବନେଶ୍ବର: ଔଷଧ ଲାଇସେନ୍ସ ପାଇଁ ୬ ହଜାର ଟଙ୍କା ଲାଞ୍ଚ । କାର୍ ଭିତରେ ଟଙ୍କା ନେଉଥିବା ବେଳେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଆସିଷ୍ଟାଣ୍ଡ ଡ୍ରଗ କଂଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲର ସଞ୍ଜୟ କୁମାର ହାନ୍ସଦା ଗିରଫ । ୧ ଲକ୍ଷ ୫୨ହଜାର ଟଙ୍କା ଅଭିଯୁକ୍ତ ହାଁସଦା ଙ୍କ ଠାରୁ ଜବତ । ଜଗତସିଂହପୁର ହୋଲସେଲ୍ ଔଷଧ ଲାଇସେନ୍ସ ପାଇଁ ଆବେଦନକୁ ଭୁବନେଶ୍ୱରସ୍ଥିତ ଡ୍ରଗ୍ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟକୁ ସୁପାରିସ କରିବା ବଦଳରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ତଥା ଡ୍ରଗ୍ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା । ସଞ୍ଜୟ କୁମାର ହାଁସଦା ଯାଜପୁରରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର/ଡ୍ରଗ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବାବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିଲେ ।

ଆଜି ପାରାଦୀପ-କଟକ NH-53ର ଜୟୀପୁର ଛକ ନିକଟରେ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ଦେଇଛି । ଅଭିଯୋଗକାରୀ ନିଜର ହୋଲସେଲ୍ ଔଷଧ ଦୋକାନ ପାଇଁ ୨୦୨୫ ମେ’ ୧୧ ତାରିଖରେ ଡ୍ରଗ୍ ଲାଇସେନ୍ସ ଆବେଦନ କରିଥିଲେ। ଆବେଦନ ସମ୍ପର୍କରେ ସେ ଏକାଧିକ ଥର ହାଁସଦାଙ୍କୁ ଭେଟିଥିଲେ ମଧ୍ୟ କାମ ଆଗକୁ ବଢ଼ି ନଥିଲା ବୋଲି ଭିଜିଲାନ୍ସ କହିଛି । ଅଭିଯୋଗ ଅନୁସାରେ, ଆବେଦନକୁ ଭୁବନେଶ୍ୱରସ୍ଥିତ ଡ୍ରଗ୍ କଣ୍ଟ୍ରୋଲରଙ୍କ ମୁଖ୍ୟାଳୟକୁ ସୁପାରିସ କରିବା ପାଇଁ ହାଁସଦା ୬ ହଜାର ଟଙ୍କା ଦାବି କରିଥିଲେ। ବାରମ୍ବାର ହଇରାଣ ହେବା ପରେ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଅଭିଯୋଗକାରୀ ହାଁସଦାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ସେ ସେଠାରେ ନଥିଲେ। ଫୋନ୍ ରେ ଯୋଗାଯୋଗ କରିବା ପରେ ହାଁସଦା ତାଙ୍କୁ ଜୟପୁର ଛକକୁ ଆସିବାକୁ କହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଅଭିଯୋଗକାରୀ ଜୟୀପୁର ଛକରେ ପହଞ୍ଚିବା ପରେ ହାଁସଦା ତାଙ୍କୁ ନିଜ WagonR କାର୍ ଭିତରେ ବସିବାକୁ କହିଥିଲେ । ସେଠାରେ ଦାବି ମୁତାବକ ୬ ହଜାର ଟଙ୍କା ନେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଭିଜିଲାନ୍ସର ସୂଚନା ଅନୁସାରେ, ହାଁସଦାଙ୍କ ନିକଟରୁ ସମ୍ପୂର୍ଣ୍ଣ ୬ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି । ହାଁସଦା ଧରାପଡ଼ିବା ପରେ ତାଙ୍କ ସହ ଜଡ଼ିତ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସି ଆରମ୍ଭ କରାଯାଇଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Share