ରାୟଗଡ଼ା: ରାୟଗଡ଼ାରେ ପୁଣି ଛାତ୍ରାବାସରେ ରାଗିଂ । ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ରାୟଗଡା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ଯାଳୟରେ ଘଟିଛି ଘଟଣା । ଭିଡିଓ ଭାଇରାଲ ପରେ ଛାତ୍ରଙ୍କ ପରିବାରକୁ ଜଣାଇଛନ୍ତି ସ୍ଥାନୀୟ ଲୋକେ । ଭିଡିଓରେ ଛାତ୍ରାବାସରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ନିସ୍ତୁକ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଉକ୍ତ ଛାତ୍ରକୁ ମାଡ ମାରିବା ସହ ଲୁଗା , ବାସନ ସଫା କରାଇବା ସହ ଦେହରୁ ପୋଷାକ ବାହାରକରି ନିର୍ଯ୍ଯାତନା ଦେଉଥିବା ଗୁରୁତର ଅଭିଯୋଗ ହୋଇଛି । ପୀଡ଼ିତ ଛାତ୍ରଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଘଟଣାକୁ ବିଦ୍ଯାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ଯମ କରୁଥିବା ବେଳେ ସ୍ଥାନୀୟ ଲୋକ ନିର୍ଯ୍ଯାତନା ର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ରାୟଗଡା ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାରୁ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
