ବାଘଲଟି ଜଳଭଣ୍ଡାରର ୨ ଗେଟ୍ ଖୋଲିଲା: ବାହୁଦାରେ ବନ୍ୟା ଆଶଙ୍କା, ନଜର ରଖିଛନ୍ତି ବିଭାଗୀୟ ଅଧିକାରୀ

62a155a6 8c09 4f44 b8ae 166153de5a44 1024x768

ପାତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବାହୁଦା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାହୁଦାର ଉପରମୁଣ୍ଡରେ ଥିବା ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ଦ୍ରୁତ ବଢ଼ିବାରୁ ବୁଧବାର ସନ୍ଧ୍ୟାରେ ପ୍ରଥମଥର ପାଇଁ ଦୁଇଟି ଗେଟ ଖୋଲି ୩୦ କ୍ୟୁମେକ ପାଣି ବାହୁଦା ନଦୀକୁ ଛଡ଼ାଯାଇଛି। ପାଣି ଛାଡ଼ିବା ପୂର୍ବରୁ ସାଇରନ୍ ବଜାଇ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି।ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୧୦୦ କ୍ୟୁମେକ ପାଣି ପ୍ରବେଶ କରୁଥିବା ଜଣାପଡ଼ିଛି। ଜଳସ୍ତର ଦ୍ରୁତ ବଢ଼ୁଥିବାରୁ ଅଧିକ ପାଣି ଆସିଲେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରିବାକୁ ପଡ଼ିପାରେ। ଚିକିଟି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ପଟ୍ଟନାୟକ ବାଘଲଟିରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ବିଭାଗୀୟ ଅଧିକାରୀମାନେ ୨୪ ଘଣ୍ଟା ଜଳସ୍ତର ଉପରେ ନଜର ରଖିଛନ୍ତି।

ଲଗାଣ ବର୍ଷା ଯୋଗୁଁ ପାତ୍ରପୁର ବ୍ଲକର ପାହାଡ଼ିଆ ଓ ତଳିଆ ଅଞ୍ଚଳର ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ବାଘଲଟିରେ ୨୪ ଘଣ୍ଟାରେ ୧୦୮ ମିମି ଓ ପାତ୍ରପୁରରେ ୪୧.୪ ମିମି ବର୍ଷା ରେକର୍ଡ ହୋଇଛି। ବାହୁଦାର ଉପନଦୀ ଓ ବିଭିନ୍ନ ନାଳରେ ପାଣି ବଢ଼ି ଦୁଇ ଦିନ ହେଲା ବାହୁଦା ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଅଞ୍ଚଳ ରେ ପ୍ରବାହିତ ପର୍ବତ ନାଳ ପାଣି ଗୁଡ଼ିପଦର, ବିନୂଆଗାଁ, ଗୁଣ୍ଡୁରା, ଖମ୍ବାରିଗାଁ, ଜୟନ୍ତୀପୁର ଓ କେଶରୀପଡ଼ା ଆଦି ଅଞ୍ଚଳର ବହୁ ଚାଷଜମିରେ ମାଡ଼ି ଜମି ଜଳାନବ ହୋଇ ରହିଛି।ଆଙ୍କୁଲି ପଞ୍ଚାୟତର ଗଡ଼ଙ୍ଗ ଗ୍ରାମକୁ ନିର୍ମାଣାଧୀନ ରାସ୍ତାର ଚମ୍ପାସାହି ନାଳ ଓ ଜାମଯୁବ ନାଳରେ ପ୍ରବଳ ପାଣି ପ୍ରବାହିତ ହୋଇ ରାସ୍ତା ଧୋଇଯାଇଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବର୍ଷା ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତହସିଲଦାର ଅଶୋକ କୁମାର ପଟ୍ଟନାୟକ ମଧ୍ୟ ବିଭିନ୍ନ ଗ୍ରାମ ପରିଦର୍ଶନ କରି ପାଣି ମାଡ଼ିଥିବା ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିଛନ୍ତି।ବାଘଲଟିର ସ୍ଥିତିକୁ ନେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ପୁଲିସ ମଧ୍ୟ ଜଳଭଣ୍ଡାରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ପୁଲିସ ଅଧିକାରୀମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା କରିଥିଲେ।ଅନ୍ୟପକ୍ଷରେ ବର୍ଷା ଓ ବନ୍ୟା ଯୋଗୁଁ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବୁରାତାଲ ପଞ୍ଚାୟତ ଜାମଗଣ୍ଡ ଗ୍ରାମର ଶରତ ବେହେରାଙ୍କ ପତ୍ନୀ ଲଳିତା ବେହେରା (୬ ମାସର ଗର୍ଭବତୀ)ଙ୍କ ପେଟ ଯନ୍ତ୍ରଣା ହେବା ଖବର ପାଇ ବିଡିଓ ଲକ୍ଷ୍ମଣ ଚରଣ ସୋରେନ ଓଡ୍ରାଫ୍ ଟିମ୍ ନେଇ ଗ୍ରାମରେ ପହଞ୍ଚିଥିଲେ। ପାୱାର ବୋଟ୍ ଯୋଗେ ମହେନ୍ଦ୍ରତନୟା ନଦୀ ପାର କରାଇ ତାଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା।

Share