-
‘ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ୍ ଆମର କିଛି ବିଗାଡ଼ି ପାରିବନି’ କହି ଅଧିକାରୀ ଧମକାଇଥିବା ଅଭିଯୋଗ
-
ବିଡ଼ାନାସୀ ଥାନାରେ ଏଫ୍ଆଇଆର୍ ଦାୟର, ସାମ୍ବାଦିକଙ୍କ ଡାକ୍ତରୀ ମାଇନା ଶେଷ
କଟକ:
କଟକ ଅବକାରୀ ବିଭାଗର ଅପାରଗତା ଯୋଗୁଁ ସହର ଏବେ ନିଶା କାରବାରର ମୁଖ୍ୟ ଚରାଭୂଇଁ ପାଲଟିଥିବା ବେଳେ, ଅସଲ ମାଫିଆଙ୍କୁ ଛାଡ଼ି ନିରୀହ ଲୋକଙ୍କ ଉପରେ ଜୁଲୁମ୍ କରାଯାଉଥିବା ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ନିଜର ବିଫଳତା ଲୁଚାଇବା ପାଇଁ ବିଭାଗୀୟ ଅଧିକାରୀମାନେ ନିର୍ଦ୍ଦୋଷ ଲୋକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରୁଥିବା ବେଳେ ଏହାକୁ ବିରୋଧ କରିବାରୁ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କଟକ ତିନିଘରିଆ ଅଞ୍ଚଳର ଜଣେ ଯୁବକଙ୍କୁ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍ ବିନା କୌଣସି ଠୋସ୍ କାରଣରେ ଉଠାଇ ନେଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ନିକଟରୁ ୧୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା। ପୁଅକୁ କେଉଁ କାରଣରୁ ନିଆଯାଉଛି ବୋଲି ପିତା ପଚାରିବାରୁ ଏବଂ ଏ ନେଇ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ (ସିଏମ୍ ଗ୍ରୀଭାନ୍ସ ସେଲ୍)ର ଦ୍ୱାରସ୍ଥ ହେବେ ବୋଲି କହିବାରୁ, ଖୋଦ୍ ଅବକାରୀ ଅଧୀକ୍ଷକ ଉତକ୍ଷିପ୍ତ ହୋଇ “ମୁଖ୍ୟମନ୍ତ୍ରୀ ଆମର କିଛି ତାଡ଼ି ବା ବିଗାଡ଼ି ପାରିବେ ନାହିଁ” ବୋଲି କହି ତାଙ୍କୁ ଧମକଚମକ ଦେଇଥିଲେ।
ଏହାପରେ ପୀଡ଼ିତ ଯୁବକଙ୍କ ପିତା ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା ଲୋଡ଼ିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସାମ୍ବାଦିକମାନେ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କୁ ପଚରାଉଚୁରା କରିବାରୁ ବିଭାଗୀୟ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଚରମ ଦୁର୍ବ୍ୟବହାର କରିଥିଲେ। ସାପ୍ତାହିକ ଖବରକାଗଜ ‘ତ୍ରିନେତ୍ର’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କୁ ଅବକାରୀ କାର୍ଯ୍ୟାଳୟ ପରିସରରେ ଧକ୍କା ମରାଯିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଓ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ସେ ଅବକାରୀ କମିଶନରଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ଭେଟିବାକୁ ଦିଆଯାଇ ନଥିଲା।
ଏହି ଆକ୍ରମଣ ବିରୋଧରେ ଶ୍ରୀ ପଟ୍ଟନାୟକ ବିଡ଼ାନାସୀ ଥାନାରେ ଅବକାରୀ କର୍ମଚାରୀଙ୍କ ବିରୋଧରେ ଲିଖିତ ଏଫ୍ଆଇଆର୍ ଦାୟର କରିଛନ୍ତି। ପୋଲିସ ଏତଲା ଗ୍ରହଣ କରିବା ସହ ତାଙ୍କର ଡାକ୍ତରୀ ମାଇନା କରାଇଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍ର ଏଭଳି ବେପରୁଆ ମନୋଭାବ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣାକୁ ସହରର ବିଭିନ୍ନ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ ଦୃଢ଼ ଶୃଙ୍ଖଳାଗତ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍ ଧରିଛି।
