ଭୁବନେଶ୍ୱର : ନିୟମିତ ହେଲେ ଜୁନିୟର ଶିକ୍ଷକ (ସ୍କିମାଟିକ) । ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ଯୋଜନାଭିତ୍ତିକ ଭାବେ ନିଯୁକ୍ତ ଜୁନିୟର ଶିକ୍ଷକଙ୍କ ନିୟମିତକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛି । ନିୟମିତକରଣର ପ୍ରଭାବୀ ତାରିଖ ସଂଶୋଧନ କରି ବିଭାଗ ପକ୍ଷରୁ ଅକ୍ଟୋବର ୧, ୨୦୨୬ରେ ନୂଆ ବିଜ୍ଞପ୍ତି ଜାରି ହୋଇଛି ।
ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ରେ ଯୋଜନାଭିତ୍ତିକ ଭାବେ ନିଯୁକ୍ତ ହୋଇ ବର୍ତ୍ତମାନ ଚାକିରିରେ ଥିବା ଜୁନିୟର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ୍-V(A)ର ଆସିଷ୍ଟାଣ୍ଟ ଟିଚର ଭାବେ ନିୟମିତ କରାଯିବ । ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ । ତେବେ ପ୍ରାରମ୍ଭିକ ଯୋଗଦାନ ତାରିଖଠାରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୁନିୟର ଶିକ୍ଷକମାନେ ଦେଇଥିବା ସେବାକୁ ସ୍କିମାଟିକ୍/କଣ୍ଟ୍ରାକ୍ଚୁଆଲ୍ ସେବା ଭାବେ ଗଣନା କରାଯିବ । ଏହି ଅବଧିକୁ ନିୟମିତ କ୍ୟାଡରର ସିନିୟରିଟି ପାଇଁ ଗଣନା କରାଯିବ ନାହିଁ ।
ଏହାସହ ଏହି ପୂର୍ବ ସେବା ଅବଧି ଆଧାରରେ ଅନ୍ୟ କୌଣସି ନିୟମିତ ସେବା ସୁବିଧା ଦାବି କରିହେବ ନାହିଁ । ଅନ୍ୟପକ୍ଷରେ, ୧ ଜାନୁଆରୀ ୨୦୨୬ଠାରୁ ନିୟମିତ ଦରମା ସହ ଆସିଷ୍ଟାଣ୍ଟ ଟିଚରଙ୍କ ପାଇଁ ପ୍ରଯୋଜ୍ୟ ଅନ୍ୟାନ୍ୟ ସେବା ସୁବିଧା ମିଳିବ । ଏହାଦ୍ୱାରା ୨୦୨୩-୨୪ରେ ନିଯୁକ୍ତ ଜୁନିୟର ଶିକ୍ଷକଙ୍କ ନିୟମିତକରଣ ନେଇ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନୂଆ ବିଜ୍ଞପ୍ତି ପୂର୍ବରୁ ଜାରି ହୋଇଥିବା ୨ ଏପ୍ରିଲ ୨୦୨୬ର ବିଜ୍ଞପ୍ତିର ସଂଶୋଧିତ ବିଜ୍ଞପ୍ତି ବୋଲି ସ୍ପଷ୍ଟ କରାଯାଇଛି ।
