ଭୁବନେଶ୍ୱର : ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ବରିଷ୍ଠ ନେତା, ପଦାଧିକାରୀ ଏବଂ ଜିଲ୍ଲାସ୍ତରୀୟ ନେତୃତ୍ୱଙ୍କ ସହ ପୁରନ୍ଦେଶ୍ୱରୀ ଓ ସ୍ୱଦେଶ ସିଂ ଆଲୋଚନା କରିବେ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରର ବିଭିନ୍ନ ମନ୍ତ୍ରୀ ଯୋଗଦେବା ନେଇ ମଧ୍ୟ ସୂଚନା ରହିଛି ।
ସରକାର ଓ ସଂଗଠନର ମଧ୍ୟରେ ସମନ୍ୱୟ ସହ ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ଏହି ବୈଠକରେ ଆଲୋଚନା ହୋଇପାରେ। ବିଶେଷ କରି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଫୋକସ୍ ରହିପାରେ। ବୁଥ୍ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନର ସ୍ଥିତି, ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ କର୍ମୀଙ୍କ ସହ ସମନ୍ୱୟ ବଢ଼ାଇବା ନେଇ ମାନସମନ୍ଥନ ହୋଇପାରେ । ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସେଥିପାଇଁ ଦଳର ପ୍ରସ୍ତୁତି ମଧ୍ୟ ବୈଠକର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ତୃଣମୂଳ ସ୍ତରରେ ଦଳର ସ୍ଥିତି କିପରି ଆହୁରି ମଜବୁତ କରାଯିବ, ନିର୍ବାଚନ ପୂର୍ବରୁ କେଉଁ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ ସଂଗଠନକୁ କିପରି ନିର୍ବାଚନମୁଖୀ କରାଯିବ—ଏସବୁ ଉପରେ ଆଲୋଚନା ସହ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇପାରେ ।
ଗତ ସେପ୍ଟେମ୍ବର ୨୩ରେ ବିଜେପିର ଦେଶବ୍ୟାପୀ ସାଂଗଠନିକ ପୁନର୍ବିନ୍ୟାସରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ଡ. ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । ପୁରନ୍ଦେଶ୍ୱରୀ ପୂର୍ବରୁ ମଧ୍ୟ ଓଡ଼ିଶା ସଂଗଠନର ଦାୟିତ୍ୱ ସମ୍ଭାଳିଛନ୍ତି । ଏଥର ସେ ଏମିତି ସମୟରେ ଦାୟିତ୍ୱ ନେଇଛନ୍ତି, ଯେତେବେଳେ ରାଜ୍ୟରେ ବିଜେପି ସରକାରରେ ରହିଛି ଏବଂ ଆଗକୁ ସ୍ଥାନୀୟ ନିର୍ବାଚନ ପାଇଁ ଦଳ ସଂଗଠନକୁ ପ୍ରସ୍ତୁତ କରୁଛି । ତେଣୁ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପୁରନ୍ଦେଶ୍ୱରୀଙ୍କ ଏହି ଦୁଇ ଦିନିଆ ଗସ୍ତରେ ସଂଗଠନ, ସରକାର-ଦଳ ସମନ୍ୱୟ ଏବଂ ଆଗାମୀ ନିର୍ବାଚନ ପ୍ରସ୍ତୁତି ଏହି ପ୍ରମୁଖ ପ୍ରସଙ୍ଗ ଉପରେ ଫୋକସ୍ ରହିବାର ସମ୍ଭାବନା ରହିଛି ।
