କଟକ : ଦୁର୍ଗାପୂଜା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଦେଇଛି କମିଶନରେଟ ପୋଲିସ । ଜାମିନ ବିହୀନ ଗିରଫ ପରୱାନା ତାଲିକାରେ ଥିବା ୧୬୨ ଜଣ ୱାରେଣ୍ଟିଙ୍କୁ ପୋଲିସ ଧରି ଥିବା ସୂଚନା ଦେଇଛନ୍ତି କଟକ ଡିସିପି । ପ୍ରସ୍ତୁତ ହୋଇଥିବା ତିନି ଶହରୁ ଉର୍ଦ୍ଧ୍ବ ତାଲିକା ଭିତରୁ, ୧୬୪ ଜଣ ପେସାଦାର ଅପରାଧୀ ଜେଲ ଭିତରେ ଥିବା ସୂଚନା ମିଳିଛି ।
ସେହିପରି ନିଶା କାରବାର ଅଭିଯୋଗରେ ୨୨୫ ଟି ମାମଲା ରୁଜୁ କରାଯାଇଥିବାବେଳେ, ୧୧୦ ଟି ଏନ.ଡି.ପି.ଏସ କେସ ମଧ୍ୟ ରୁଜୁ ହୋଇଥିବା କଟକ ଡିସିପି କହିଛନ୍ତି । ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସହରରେ ଅଧିକ ସଂଖ୍ୟକ ସିସିଟିଭି ଲଗାଯାଇଛି, ଯାହା ଅପରାଧୀଙ୍କ ଫେସ ଡିଟେକ୍ସନ କରିବାରେ ସହାୟକ ହେବ ବୋଲି ସୂଚନା ମିଳିଛି ।
ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ ଏବଂ ଦଶହରା ସହ ଭଷାଣୀ ଶୋଭାଯାତ୍ରା ସିସିଟିଭି ନଜରରେ ରହିବ ବୋଲି ସୂଚନା ମିଳିଛି । ଗଣେଶ ପୂଜାରୁ ଏପର୍ଯ୍ୟନ୍ତ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ନେଇ ସହରର ବିଭିନ୍ନ ଥାନାରେ ମୋଟ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ, ସେଥିମଧ୍ୟରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜବରଦସ୍ତି ଚାନ୍ଦା ଆଦାୟ ଘଟଣା ନଜରକୁ ଆସିଲେ, ୱାଟସଆପ ନମ୍ବର 828033830 ରେ ମେସଜ କରି ଜଣାଇବାକୁ ଅପିଲ କରିଛନ୍ତି କଟକ ଡିସିପି ।
