୨୨୦ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ରେଡ୍, ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

Screenshot 2026 10 08

ଭୁବନେଶ୍ୱର : ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୋଲିଛି ମାଳ ମାଳ ଔଷଧ ଦୋକାନ । ଲୋକଙ୍କୁ ବି ବିକ୍ରି କରାଯାଉଛି ଔଷଧ । ହେଲେ ସେମାନଙ୍କ ପାଖରେ ନାହିଁ ଲାଇସେନ୍ସ କି ବୈଧ କାଗଜପତ୍ର । ବର୍ଷ ବର୍ଷ ଧରି ପ୍ରାଶାସନର ନଜର ଆଢୁଆଳରେ ବେଆଇନ ଭାବେ ଚାଲିଛି ବ୍ୟବସାୟ ।

ନିଶାମୁକ୍ତ ଅଭିଯାନ ପାଇଁ ଚଳିତ ମାସ ୧ ତାରିଖରୁ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଓ ଦୋକାନରେ ଚଢ଼ାଉ କରୁଛନ୍ତି । ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରାଲର ଏବଂ ଡ୍ରଗ୍ ଇନ୍ସପେକ୍ଟରମାନେ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ଔଷଧର ଗୁଣବତ୍ତା ସହ ଏହାର ବିକ୍ରି ନିୟମ ଯାଞ୍ଚ କରାଯାଉଛି ।

ଚଢ଼ାଉ ସମୟରେ ଆଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍, ଟ୍ରାମଡୋଲ୍ ଇତ୍ୟାଦି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସକ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ, ତାକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୦୦ ଆମ୍ପୁଲ୍ ପେଣ୍ଟଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ୭୦ ହଜାର ଟଙ୍କା ହେବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, ନୂଆପଡ଼ା ଜିଲ୍ଲାର ଜୋଙ୍କ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସ ବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧ ଲକ୍ଷ ୯୨ ହଜାର ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ବିଭାଗ ସୂଚନା ଦେଇଛି ।

Share