ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ପାତ୍ରଙ୍କ ଘରେ ଚଢାଉ । ସୁନ୍ଦରଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।
ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ , ମଞ୍ଚନାଥ ଭିଲ୍ଲାର ଫେଜ୍ -୨ରେ ଥିବା ତାଙ୍କର ତିନୋଟି ଦୁଇମହଲା କୋଠା, ବାଲିଅନ୍ତାରେ ଥିବା ଅନ୍ୟ ଏକ ଆବାସିକ କୋଠାରେ ତଲାସୀ ଚାଲିଛି । ଏହା ସହିତ ସୁନ୍ଦରଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟ, କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ କ୍ୱାର୍ଟର ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଉଛି ।
ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ପରବର୍ତ୍ତୀ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସୁନ୍ଦରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଙ୍କ ଅନୁମତିକ୍ରମେ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି । ଜଣେ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ ଆଇ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।
