ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଅନୁଷ୍ଠିତ କଥାବାର୍ତ୍ତା କାଳରେ ଉଭୟ ନେତା ପ୍ରତିରକ୍ଷା, ମହାକାଶ ଓ ପରମାଣୁ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହା ସହିତ ୨୦୩୦ ସୁଦ୍ଧା ଦୁଇ ଦେଶର ବାଣିଜ୍ୟ କାରବାରକୁ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡର କମ୍ପାନୀଗୁଡ଼ିକୁ ଭାରତରେ ମିଳିତ ଉତ୍ପାଦନ ଓ ବିକାଶ ପାଇଁ ନିମନ୍ତ୍ରଣ ଜଣାଇଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଗ୍ରୀନ୍ ଟେକ୍ନୋଲୋଜି, କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ବପୂର୍ଣ୍ଣ ଖଣିଜ ସମ୍ପଦ) ଏବଂ କୋଇଲା ଗ୍ୟାସୀକରଣ କ୍ଷେତ୍ରରେ ନୂଆ ଅଂଶୀଦାରୀ ଗଢ଼ିବା ପାଇଁ ଆଲୋଚନା ହୋଇଛି। ଭାରତ ଓ ୟୁରୋପୀୟ ୟୁନିୟନ ମଧ୍ୟରେ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ରପ୍ତାନି ଓ ନିବେଶ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ମୋଦୀ କହିଛନ୍ତି। ଉଭୟ ନେତା ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଓ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ସଂସ୍କାର ପାଇଁ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ କଥାବାର୍ତ୍ତା ବ୍ୟତୀତ ରୁଷ୍-ୟୁକ୍ରେନ ଯୁଦ୍ଧ ଓ ପଶ୍ଚିମ ଏସିଆ ଯୁଦ୍ଧ ପରିସ୍ଥିତି ବାବଦରେ ଉଭୟ ନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୟୁକ୍ରେନ ଓ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ୨୧ ତାରିଖରୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ଏବଂ ୧୦୦ ଜଣ ପ୍ରମୁଖ ସିଇଓ ଓ ଶିଳ୍ପ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି।
