ଭୁବନେଶ୍ୱର: କୋଟିଆ ଗ୍ରାମପଞ୍ଚାୟତରେ ନିର୍ବାଚନ କରାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ କୋର୍ଟ ଅବମାନନା ମାମଲା ଦାୟର କରାଯାଇଛି । ଏହି ମାମଲା ଆଜି ପଞ୍ଜୀକୃତ ହୋଇଥିବା ବେଳେ ଏହାର ନମ୍ବର ୬୬୭୨୭/୨୦୨୬ ବୋଲି ଜଣାପଡ଼ିଛି ।
କୋଟିଆରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି । ଗୋଟିଏ ଅଞ୍ଚଳରେ ଦୁଇଟି ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ଜନପ୍ରତିନିଧି ରହିବା ଦ୍ୱାରା ପଞ୍ଚାୟତ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହେବ ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।
ଏକାଧିକ ଅଧିକାରୀଙ୍କ ବିରୋଧରେ ମାମଲା
ଏହି କୋର୍ଟ ଅବମାନନା ମାମଲାରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଜି. ସାଇ ପ୍ରସାଦ, ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଠା, ଗୃହ ସଚିବ କୁମାର ବିଶ୍ୱଜିତ୍, ପଞ୍ଚାୟତିରାଜ ବିଭାଗର ସଚିବ ମୁତାଲା ରାଜୁ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭି.ଆର୍.କେ. ତେଜା ଏବଂ ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାପାଳ ଏନ୍.ପି. ରବିଶଙ୍କର ରେଡ୍ଡୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଓଡ଼ିଶା ସରକାର ଏହି ମାମଲାରେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବେ । କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶର ପଦକ୍ଷେପ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ
ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିବାରୁ ଏହା ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ସ୍ଥିତାବସ୍ଥା ନିର୍ଦ୍ଦେଶର ଅବମାନନା କରିଛି । ଏହି ମାମଲା ମାଧ୍ୟମରେ କୋଟିଆରେ ନିର୍ବାଚନ ପ୍ରସଙ୍ଗ ଉପରେ ଆଇନଗତ ଲଢ଼େଇକୁ ଆଗକୁ ନେବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଓ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ନଜର ରହିଛି ।
୧୯୩୬ରୁ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ
ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୧୯୩୬ ମସିହାରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛି । କୋଟିଆକୁ ଓଡ଼ିଶାରେ ନ୍ୟାୟସଙ୍ଗତ ଭାବେ ବଜାୟ ରଖିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସୀମା ବିବାଦକୁ ନେଇ ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ମାମଲାର ବିଚାର ସମୟରେ କୋଟିଆ ଗ୍ରାମପଞ୍ଚାୟତରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ୍ ସେତେବେଳେ ରହିଥିବା ସ୍ଥିତିରେ କୌଣସି ପରିବର୍ତ୍ତନ ନ କରିବାକୁ କୁହାଯାଇଥିଲା । ୨୦୦୬ ମସିହାରେ ମାମଲାଟି ଖାରଜ ହୋଇଥିଲେ ମଧ୍ୟ ସ୍ଥିତାବସ୍ଥା ବଜାୟ ରଖିବା ପ୍ରସଙ୍ଗକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
