ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ୮ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

Lokaseva bhawan

ଭୁବନେଶ୍ବର : ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି ସହ ନୂଆ ଦାୟିତ୍ୱ ଦିଆଯାଇଛି । କେତେକ ଅଧିକାରୀଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇଏଏସ୍ ଅଧିକାରୀ ଡକ୍ଟର ପୋମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହାସହ ତାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଥିବା ସହ ଖାଦ୍ୟ ସୁରକ୍ଷା କମିଶନର ଏବଂ ଟିଡିସିସିଓଏଲ୍ ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ।

ସେହିପରି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ । ପୂର୍ବରୁ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଦାୟିତ୍ୱରେ ଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଥିବା ଶୁଭମ ସକ୍ସେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ବା NHM ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଥିବା ସହ OMFED ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ । ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଣତି ଛୋଟରାୟଙ୍କୁ OMFED ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ସୁବ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅଦଳବଦଳ ଫଳରେ ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ଦୁଗ୍ଧ ଉତ୍ପାଦନ, ନଗର ଉନ୍ନୟନ ଓ ରାଜସ୍ୱ ପ୍ରଶାସନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂଆ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ ।

Share