କୋର୍ଟ ଶୁଣାଣି ସମୟରେ ଏକ ଉଦାହରଣ ଦେଇ କହିଛନ୍ତି ଯେ, ଯେଉଁ କର୍କଟ ଇଞ୍ଜେକ୍ସନ ଜଣେ ଡିଲରଙ୍କୁ ମାତ୍ର ୧୧,୦୦୦ ଟଙ୍କାରେ ମିଳେ, ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ସେଥିପାଇଁ ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ କରୁଛନ୍ତି। ଏଠାରେ ପ୍ରକୃତ ମୂଲ୍ୟ ଓ MRP ମଧ୍ୟରେ ଆକାଶ-ପାତାଳ ଫରକ ଦେଖିବାକୁ ମିଳୁଛି। ବଜାରରେ ଥିବା ପ୍ରାୟ ୯୦% ଔଷଧ କାହିଁକି ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (DPCO) ପରିସରଭୁକ୍ତ ନୁହଁନ୍ତି ଏବଂ କେବଳ କର୍କଟ ଔଷଧ ବ୍ୟତୀତ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ଔଷଧ ପାଇଁ ସମାନ ନିୟମ କାହିଁକି ଲାଗୁ କରାଯାଉ ନାହିଁ ବୋଲି କୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ଦେଶର ଜନସାଧାରଣଙ୍କ ଜୀବନ ଅପେକ୍ଷା କୌଣସି ଆର୍ଥିକ ନୀତି କିମ୍ବା ଫାର୍ମାସ୍ୟୁଟିକାଲ୍ ଶିଳ୍ପର ପୁଞ୍ଜିବାଦୀ ଚିନ୍ତାଧାରା ବଡ଼ ହୋଇପାରିବ ନାହିଁ।
ନୂଆଦିଲ୍ଲୀ: କର୍କଟ ଏବଂ ଅନ୍ୟାନ୍ୟ ଜୀବନରକ୍ଷାକାରୀ ଔଷଧର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଓ ଘରୋଇ ହସ୍ପିଟାଲଗୁଡ଼ିକର ମନମାନୀ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଔଷଧ ନିୟାମକ ସଂସ୍ଥା (NPPA) କୁ କଠୋର ଭାଷାରେ ତାଗିଦ କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମୂଲ୍ୟ ନିୟନ୍ତ୍ରଣ ଉପରେ ସେମାନଙ୍କର ରାୟ ସଂରକ୍ଷିତ ରଖିଛନ୍ତି।
କେତେକ ଜୀବନରକ୍ଷାକାରୀ ଔଷଧ ଓ ମେଡିକାଲ୍ ସାମଗ୍ରୀ ଉପରେ ହସ୍ପିଟାଲ ଓ ବ୍ୟବସାୟୀମାନେ ପ୍ରାୟ ୧୦୦୦% ପର୍ଯ୍ୟନ୍ତ ଲାଭ (Mark-up) ରଖୁଥିବାରୁ କୋର୍ଟ ଏହାକୁ ଗରିବ ରୋଗୀଙ୍କ ଉପରେ “ଲୁଟ୍” ଓ “ଡକାୟତି” ବୋଲି ଅଭିହିତ କରିଛନ୍ତି। କେନ୍ଦ୍ର ସରକାର ନିକଟରେ ୧୩୭ଟି କର୍କଟ ଔଷଧର ବ୍ୟବସାୟିକ ଲାଭକୁ ୩୦% ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କୋର୍ଟ ପ୍ରଶ୍ନ କରିଛନ୍ତି ଯେ, “ଏତେ ବର୍ଷ ଧରି ସରକାର କାହିଁକି ଚୁପ୍ ରହିଥିଲେ? କେବଳ କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ଏହି ପଦକ୍ଷେପ କାହିଁକି ନିଆଗଲା?
