ବେଙ୍ଗାଲୁର:ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ବୈଜ୍ଞାନିକ ନିଜ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ଶରଦ କଟିୟାର(୪୭) । ସେ ଏରୋନଟିକ୍ସ ଡେଭଲପମେଂଟ ଏଜେନ୍ସି(ଏଡିଏ)ରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିଲେ । ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମରେ ସେ ଅଂଶବିଶେଷ ଥିଲେ । ସିଗେହାଲିସ୍ଥିତ ଏକ ଆପାର୍ଟମେଂଟର ୪ର୍ଥ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ କଟିୟାରଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ କଟିୟାରଙ୍କ ଉପରେ ଅଯଥାରେ କାମ ଚାପ ଥିଲା । ସେଥିପାଇଁ ସେ ବିବ୍ରତ ହୋଇଯାଉଥିଲେ । ମାସେ ହେଲାଣି ତାଙ୍କ ଏହି ସମସ୍ୟା ବଢି ଯାଇଥିଲା । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏକଥା ଜାଣି ମଧ୍ୟ କୌଣସି ସହଯୋଗ କରିବା ପରିବର୍ତ୍ତେ ଅଧିକ ହଇରାଣ କରୁଥିଲେ । କିଛିଦିନ ତଳେ ସ୍ୱର୍ଗତ କଟିୟାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ସ ଅଫ ନ୍ୟୁରୋସାଇନ୍ସରେ ଯାଇ ଚିକିତ୍ସା ହୋଇଥିଲେ । ତେବେ ତାଙ୍କ ମାନସିକ ଅବସାଦ କମି ନ ଥିଲା । ଶେଷରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବାଛିନେଲେ । ଏପରି ଅଭିଯୋଗ ପରେ ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଅମମୃତ୍ୟୁ ମାମଲା ରୁଜୁ କରାଯିବ ସହ ଏ ଦିଗରେ ମଧ୍ୟ ଅନୁସନ୍ଧାନ କରାଯାଉଛି । ତେବେ ଏ ନେଇ ଏଡିଏ ନିର୍ଦ୍ଦେଶକ କ୍ରିଣ୍ଣ ରାଜେନ୍ଦ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଏ ବିଷୟରେ ଜାଣିନୁ । କିନ୍ତୁ ଆମ କର୍ମଚାରୀମାନଙ୍କ ମଧ୍ୟରେ ଯେମିତି ମାନସିକ ଚାପ ନ ରହୁ, ସେ ପାଇଁ କର୍ମଶାଳାର ଆୟୋଜନ କରାଯାଉଛି ।
