’ପାରାଦୀପ ହେବ ଓଡ଼ିଶାର ଅଭିବୃଦ୍ଧିର ଇଞ୍ଜିନ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୫

ପାରାଦୀପ:  କଳିଙ୍ଗ ବାଲିଯାତ୍ରା ମଞ୍ଚରୁ ଜଗତସିଂହପୁରକୁ ବିକାଶର ଭେଟି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, ତିର୍ତ୍ତୋଲରେ ସୂତାକଳ ପ୍ରତିଷ୍ଠା ହେବ ଏବଂ ଜଗତସିଂହପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ଖୁବ ଶୀଘ୍ର ଜଗତସିଂହପୁରଠାରେ ସରକାରୀ ଇଂଜିନିୟରିଙ୍ଗ କଲେଜ, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ESI ହସ୍ପିଟାଲ ପ୍ରତିଷ୍ଠା ହେବ ।

ପାରାଦୀପ ହେବ ଓଡ଼ିଶାର ଅଭିବୃଦ୍ଧିର ଇଞ୍ଜିନ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ପାରାଦୀପ ହେବ ଓଡ଼ିଶାର ମାନୁଫାକ୍ଚରିଂ କ୍ୟାପିଟାଲ ଓ ରପ୍ତାନିର ପ୍ରମୁଖ କେନ୍ଦ୍ର । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପାରାଦୀପଠାରେ ଆୟୋଜିତ ‘କଳିଙ୍ଗ ବାଲିଯାତ୍ରା’ର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରାକୁ ସ୍ମରଣ କରିବା ସହ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ନୀତି ଆୟୋଗଙ୍କ ମାର୍ଗଦର୍ଶନରେ ରାଜ୍ୟରେ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍’ ବା ‘BKPPER’ ନିର୍ମାଣ କରାଯାଉଛି । ଯାହା ଉପକୂଳ ଓଡ଼ିଶାର ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଦେଶର ଏକ ପ୍ରମୁଖ ଶିଳ୍ପ, ଅର୍ଥନୈତିକ ଏବଂ ସହରାଞ୍ଚଳ ହବ୍ ଭାବେ ପରିଣତ କରିବ ।

ଏହି ଉଦଘାଟନୀ ଉତ୍ସବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡକ୍ଟର ରମାକାନ୍ତ ଭୋଇ, ପାରାଦୀପ ପୌରପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।

Share