କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ରାଜରାଜେଶ୍ଵର ବେଶ

୭

ପୁରୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବଡିଭୋରରୁ ମହୋଦଧିରେ ବୁଡ଼ ପକାଇ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପିତ କରିଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ।  ବେଳାଭୂମିରେ ସୂର୍ଯ୍ୟୋଦୟ ଦେଖିବା ସହ ଆ କା ମା ବୈ ପାନ ଗୁଆ ଥୋଇ ଧ୍ୱନିରେ ପ୍ରକମ୍ପିତ ହେଲା ଗଗନ ପବନ। କଦଳୀ ପଟୁକାରେ ଧର୍ମ ଡଙ୍ଗା ତିଆରି କରି ତୀର୍ଥ ପୁଷ୍କରିଣୀ ସମେତ ସମୁଦ୍ରରେ ତାହାକୁ ଭସାଇ ପଞ୍ଚୁକ ବ୍ରତକୁ ସାରିଛନ୍ତି ହବିଷ୍ୟାଳି।

ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ରାତି ତମାମ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବା ବେଳେ ସୁନାବେଶକୁ ଦର୍ଶନ କରି କୃତାର୍ଥ ଲାଭ କରିଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ। ସେପଟେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜିଉମାନେ ରାଜରାଜେଶ୍ଵର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ମହଣମହଣ ସୁନାରେ ଆପାଦମସ୍ତକ ମହାପ୍ରଭୁ ବିଭୂଷିତ ହୋଇଥିବା ବେଳେ ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଥିଲା ଶ୍ରୀମନ୍ଦିର। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବଗଲାଧର୍ମଶାଳା ନିକଟରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୦ପ୍ଲାଟୁନ ପୋଲିସ ଫୋର୍ସ ସହ ବେଳାଭୂମି ଓ ତୀର୍ଥପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅତରିକ୍ତ ୧୦ ପ୍ଲାଟୁନ ସମୁଦାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା।

Share