ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସର ରାସ୍ ଅଲ୍ ଖାଇମାହ୍ରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି, ତେବେ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିବା ସହ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।
ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ରାସ୍ ଅଲ୍ ଖାଇମାହ୍ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ମଙ୍ଗଳବାର ଦିନ ଜଣାଇଛି ଯେ, ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବସ୍ଟି ୪୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକ୍ଟି ସେଠାରେ ଅଟକି ରହିଥିଲା। ଘଟଣା ବିଷୟରେ ଖବର ପାଇବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ।
