ମିସିସିପିରେ ସମୁଦ୍ରରେ ଖସିପଡ଼ିଲା ବିମାନ, ୬ ମୃତ

19

ଆମେରିକା: ଆମେରିକାର ମିସିସିପିରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ହର୍ନ ଆଇଲ୍ୟାଣ୍ଡ ନିକଟରେ ସମୁଦ୍ରରେ ଖସିପଡ଼ିଲା ଏକ ଛୋଟ ବିମାନ । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ବୟସ୍କ ଏବଂ ୮ରୁ ୧୦ ବର୍ଷ ବୟସର ଦୁଇ ଜଣ ଶିଶୁ ରହିଛନ୍ତି । ଆମେରିକାର କୋଷ୍ଟ ଗାର୍ଡ ଏହି ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି । ସନ୍ଧାନ ଅଭିଯାନ ସମୟରେ ବୁଡ଼ାଳିମାନେ ବିମାନର ଫ୍ୟୁଜେଲେଜ୍ ଭିତରେ ସମସ୍ତ ଛଅ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ଅଭିଯାନକୁ ଶେଷ କରାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସେସନା ସେଞ୍ଚୁରିଅନ୍ ୨୧୦ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନ୍ୟୁ ଅର୍ଲିନ୍ସରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ତେବେ ଉଡ଼ାଣର ପ୍ରାୟ ୩୦ ମିନିଟ୍ ପରେ ମିସିସିପିର ପସ୍କାଗୌଲା ନିକଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଫଳରେ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ଏନେଇ କୋଷ୍ଟ ଗାର୍ଡକୁ ସୂଚନା ମିଳିଥିଲା । ପରେ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରୁ ୩ଟି ଲାଇଫ୍ ଜ୍ୟାକେଟ୍, ଗୋଟିଏ ଲାଇଫ୍ ରାଫ୍ଟ ଏବଂ ବିମାନର କ୍ୟାବିନ୍ ଠାବ କରିଥିଲେ ।

ଅନ୍ୟପଟେ ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ସେସ୍ନା ୨୧୦ ବିମାନଟି ନ୍ୟୁ ଅର୍ଲିନ୍ସରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୩୦ ମିନିଟ୍ ପରେ, ବିମାନଟି ମିସିସିପିର ପାସ୍କାଗୌଲାର ଦକ୍ଷିଣରେ ପ୍ରାୟ ୮,୮୦୦ ଫୁଟ ଉଚ୍ଚତାରେ ଥିଲା । ହେଲେ ବିମାନଟି ହଠାତ୍ ସମୁଦ୍ର ଆଡକୁ ଦ୍ରୁତ ଅବତରଣ ଆରମ୍ଭ କଲା । ଶେଷ ମୁହୂର୍ତ୍ତରେ ବିମାନଟି ପ୍ରତି ମିନିଟ୍ ପ୍ରାୟ ୧୮,୦୦୦ଫୁଟ ବେଗରେ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେଲା ।

Share