ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟକୁ ବୋମା ଧମକ

23

ମୁମ୍ବାଇ : ପଞ୍ଜାବୀ ଗାୟକ ତଥା ଗ୍ଲୋବାଲ ଆଇକନ୍ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟକୁ ନେଇ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ତାଙ୍କର ଏକ ଲାଇଭ୍ ଶୋ’କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଇମେଲରେ କେବଳ ବୋମା ବିସ୍ଫୋରଣର ଚେତାବନୀ ଦିଆଯାଇ ନାହିଁ, ବରଂ ଖଲିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଲେଖାଯାଇଛି । ଏହାପରେ ସମସ୍ତ ସୁରକ୍ଷା ଏଜେନ୍ସୀ ସତର୍କ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଧମକପୂର୍ଣ୍ଣ ଇ-ମେଲଟି ଧାରୱାଡ଼ ପୋଲିସ କମିଶନରଙ୍କ ନିକଟକୁ ପଠାଯାଇଛି । ଏଥିରେ ନଭେମ୍ବର ୨୯ ତାରିଖରେ ବେଙ୍ଗାଲୁରୁର ମାଦାୱାରାସ୍ଥିତ ନାଇସ୍ ରୋଡ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦିଲଜିତଙ୍କ କନସର୍ଟକୁ ଟାର୍ଗେଟ କରାଯିବ ବୋଲି କୁହାଯାଇଛି । ଇ-ମେଲରେ ‘ଖଲିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ମଧ୍ୟ ବ୍ୟବହାର କରାଯାଇଛି । ଏଥିସହ କନ୍ସର୍ଟ ସମୟରେ ଆଇଇଡି ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି।ଏଥିରେ କନସର୍ଟ ଚାଲିଥିବା ସମୟରେ IED ବିସ୍ଫୋରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କନସର୍ଟକୁ ଆସୁଥିବା ଲୋକଙ୍କ ପାଇଁ ଅନେକ ଚେତାବନୀ ମଧ୍ୟ ଦିଆଯାଇଛି । ଦର୍ଶକମାନେ ନିଜ ପିଲାମାନଙ୍କୁ କାର୍ଯ୍ୟକ୍ରମକୁ ସାଙ୍ଗରେ ନଆଣିବାକୁ କୁହାଯାଇଛି । ଏହା ସହିତ ଆଇଫୋନରୁ ଆସୁଥିବା କଲ୍ର ଉତ୍ତର ନଦେବା ଏବଂ ମେଟ୍ରୋରେ ଯାତ୍ରା ନକରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

୨୦୨୬ରେ ମଧ୍ୟ ତାଙ୍କର ଲାଇଭ୍ ସୋ’କୁ ନେଇ ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ଇମେଲ୍ ମିଳିଥିବା ଖବର ସାମ୍ନାକୁ ଆସିଛି । ଅକ୍ଟୋବର ୩୦ ତାରିଖରେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ତାଙ୍କର ଏକ କନସର୍ଟ ହେବାର କାର୍ଯ୍ୟକ୍ରମ ଥିଲା । ନଭେମ୍ବରରେ ମଧ୍ୟ ଦିଲଜିତଙ୍କ କନସର୍ଟକୁ ନେଇ ମଧ୍ୟପ୍ରଦେଶର ଇନ୍ଦୋରରେ ହଇଚଇ ସୃଷ୍ଟି ହୋଇଥିଲା । ନଭେମ୍ବର ୧୦ରେ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚକୁ ମଧ୍ୟ ଏକ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା ।

Share