ଐତିହାସିକ କଟକ ବାଲିଯାତ୍ରାରେ ମହାନଦୀ ମହାଆଳତୀ: ନଦୀ ସୁରକ୍ଷା ଓ ବିଶ୍ୱଶାନ୍ତିର ବାର୍ତ୍ତା

Untitled

କଟକ (ବିକ୍ରମ କେଶରୀ ସେନାପତିଙ୍କ ରିପୋର୍ଟ): ଐତିହାସିକ କଟକ ବାଲିଯାତ୍ରାର ପବିତ୍ର ପରିବେଶ ମଧ୍ୟରେ ବୁଧବାର ସନ୍ଧ୍ୟାରେ ଉତ୍କଳର ଗଙ୍ଗା ପୁଣ୍ୟତୋୟା ମା’ ମହାନଦୀଙ୍କ ଭବ୍ୟ ପୂଜାର୍ଚ୍ଚନା, ମହାଯଜ୍ଞ ଓ ମହାଆଳତୀ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉଦାସ ଆଶ୍ରମର ଅଧ୍ୟକ୍ଷ ପରମପୂଜ୍ୟ ଗୁରୁଦେବ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଦିବ୍ୟଲୋଚନ ମହାରାଜଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଏହି ପବିତ୍ର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ନଦୀଗର୍ଭକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ନଦୀତଟ ସ୍ୱଚ୍ଛତା ପ୍ରତି ଜନସଚେତନତା ସୃଷ୍ଟି କରିବା ଭଳି ମହତ ଉଦ୍ଦେଶ୍ୟ ନେଇ ୨୦୧୭ ମସିହାରେ ଗୁରୁଦେବ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜଙ୍କ ଦ୍ୱାରା ଏହି ମହାନଦୀ ଆଳତୀର ଶୁଭାରମ୍ଭ କରାଯାଇଥିଲା। ସେବେଠାରୁ କଟକ ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ଓ ସହଯୋଗରେ ପ୍ରତିବର୍ଷ ବାଲିଯାତ୍ରା ଅବସରରେ ଏହି ପରମ୍ପରା ନିରବଚ୍ଛିନ୍ନ ଭାବେ ପାଳିତ ହୋଇଆସୁଛି।

ଚଳିତ ବର୍ଷର ଏହି ମହାଆଳତୀ ଉତ୍ସବରେ ବହୁ ବିଶିଷ୍ଟ ଅତିଥି ଓ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ପ୍ରତିଭା ଶତପଥୀ, କିଷାନ ସଂଘର ରାଜ୍ୟ ସଂଯୋଜିକା ସତ୍ୟଭାମା ଦେବତା, ‘ଦ ଭଏସ୍’ର ସମ୍ପାଦକ ପ୍ରଭାତ ଦେବତା, ବରିଷ୍ଠ ବିଜେପି ନେତା ଲଲାଟେନ୍ଦୁ ବଡ଼ୁ, ବିଶିଷ୍ଟ ପରିବେଶବିତ୍ ଡ. ଆଶୁତୋଷ ଦେବତା, ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ଡ. ନିରଞ୍ଜନ ସାହୁ, ସମାଜସେବୀ ଡ. ଅମୀୟଭୂଷଣ ମହାନ୍ତି ଏବଂ ଅଭିନବ ଗୋଷ୍ଠୀ ବେତାରକେନ୍ଦ୍ର ରେଡିଓର ନିର୍ଦ୍ଦେଶକ ଇଂ. ଅନ୍ୱେଷ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ନଦୀପୂଜା ଓ ଆଳତୀର ଆଧ୍ୟାତ୍ମିକ ତଥା ବୈଜ୍ଞାନିକ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଆମ ଜୀବନରେଖାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

ଏହି ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ନଦୀ ପ୍ରତି ସମ୍ମାନ ଓ ସଚେତନତା ସୃଷ୍ଟି ହେବା ସହିତ ସନାତନ ଧର୍ମର ପ୍ରାଚୀନ ଓ ପାରମ୍ପରିକ ରୀତିନୀତି ବଜାୟ ରଖିବାରେ ଏହା ବିଶେଷ ସହାୟକ ହୋଇପାରିଛି ବୋଲି ମତପ୍ରକାଶ ପାଇଥିଲା। ସନ୍ଧ୍ୟା ସମୟରେ ବେଦମନ୍ତ୍ର ଉଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପ୍ରଦୀପର ଆଲୋକମାଳାରେ ମହାନଦୀ ତଟ ଏକ ଅଲୌକିକ ଶୋଭା ଧାରଣ କରିଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ଉଦାସପନ୍ଥୀ ଭକ୍ତ ପଣ୍ଡିତ ନୀଳମଣି ପଣ୍ଡା, ବିଜୟ କୁମାର ପଣ୍ଡା, ରେବତୀକାନ୍ତ ପଟ୍ଟନାୟକ, ଆର୍ତ୍ତତ୍ରାଣ ଲେଙ୍କା ଏବଂ ବିକାଶ ଖୁଣ୍ଟିଆ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ଉଦାସପନ୍ଥୀ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ସୁମଧୁର ଭଜନ ସଂକୀର୍ତ୍ତନ ଦ୍ୱାରା ସମଗ୍ର ପରିବେଶକୁ ଭକ୍ତିରସରେ ଆପ୍ଲାବିତ କରିଥିଲେ।

Share