କଟକ (ବିକ୍ରମ କେଶରୀ ସେନାପତିଙ୍କ ରିପୋର୍ଟ) : ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡ଼ି ରିଂ ବନ୍ଧ ଗଣେଶ ଘାଟ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ପରେ ଆଜି ମଧ୍ୟ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଗଣେଶ ଘାଟ ଗଡ଼ାରେ ଆଜି ପୁଣି ଥରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ଗତ ଶୁକ୍ରବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଗଣେଶ ଘାଟ ପୂଜା କମିଟିର ସଭାପତି ଅମରେନ୍ଦ୍ର ସାମଲ (୬୨)ଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏଥିସହ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ଜଣେ ପୁଲିସ କନେଷ୍ଟବଳଙ୍କ ମୁଣ୍ଡ ମଧ୍ୟ ଫାଟିଯାଇଥିଲା। ମନ୍ଦିର ପିଣ୍ଡା ଉପରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଓ ଉତ୍ତେଜନା ପ୍ରକାଶ ପାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଘାଟ ନିକଟସ୍ଥ ହୋଟେଲ୍ ବ୍ଲୁ ଲାଗୁନ୍ ସମ୍ମୁଖରେ ଥିବା ସଞ୍ଜୟ ଚା’ ଦୋକାନ ନିକଟରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ଦୁଇ ଜଣ ବ୍ୟକ୍ତି ଛିଡ଼ା ହୋଇଥିଲେ। ସେମାନଙ୍କ ମଧ୍ୟରେ କୌଣସି ପୂର୍ବ ବିବାଦକୁ କେନ୍ଦ୍ର କରି ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ କିଛି ସମୟ ମଧ୍ୟରେ ବୁରୁଜ ସାହି ସ୍ଲମ୍ ନଂ ୪୩ ଓ ଗଣେଶ ଘାଟ ସାହିର ଏକାଧିକ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ।
ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷ ସମୟରେ ଦୁର୍ବୃତ୍ତମାନେ ଗଣେଶ ଘାଟ ପୂଜା କମିଟି ସଭାପତି ଅମରେନ୍ଦ୍ର ସାମଲଙ୍କୁ ନିକଟସ୍ଥ ମାହେଶ୍ୱରୀ ମନ୍ଦିର ପିଣ୍ଡା ଉପରକୁ ଟାଣି ନେଇ କାଚ ବୋତଲ ଓ ଠେଙ୍ଗାରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଥିବା ମନ୍ଦିର ପିଣ୍ଡା ଓ କାନ୍ଥରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ତିନୋଟି ବାଇକ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋକୁ ପିଟି ଭାଙ୍ଗି ଚୁରମାର କରିଦେଇଛନ୍ତି। ଯେଉଁ ସଞ୍ଜୟ ଚା’ ଦୋକାନ ନିକଟରୁ ଏହି ବିବାଦର ସୂତ୍ରପାତ ହୋଇଥିଲା, ଉତ୍ତ୍ୟକ୍ତ ଗୋଷ୍ଠୀ ଉକ୍ତ ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିବା ସହ ଭିତରେ ଥିବା ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବୁରୁଜ ସାହି ଓ ଗଣେଶ ଘାଟ ସାହି ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଗତ ଗଣେଶ ଭସାଣି ସମୟରେ ଫିରିଙ୍ଗବଜାର ନିକଟରେ ମଧ୍ୟ ଉଭୟ ସାହିର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଏ ସଂକ୍ରାନ୍ତରେ ପୁରୀଘାଟ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ପୁନର୍ବାର ଗତ ଗୁରୁବାର ଦିନ ପୁରୀଘାଟ ଅଞ୍ଚଳରେ ଦୁଇ ସାହି ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ ଶୁକ୍ରବାର ରାତିରେ ଏହା ଭୟଙ୍କର ରୂପ ନେଇଥିଲା।
ଖବର ପାଇ ଗତକାଲି ରାତିରୁ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସିପି ଅନନ୍ୟା ଅବସ୍ତି, ଏସିପି ଅଶୋକ କୁମାର ଗିରି, ଏସିପି ଅରୁଣ ସ୍ୱାଇଁ, ପୁରୀଘାଟ ଥାନା ଆଇଆଇସି ବିଶ୍ୱରଞ୍ଜନ ନାୟକ ଓ ଲାଲବାଗ ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ଘଟାଇବା ପରେ ଉଭୟ ସାହିର ମୁଖ୍ୟ ଅଭିଯୁକ୍ତ ଯୁବକମାନେ ଫେରାର ହୋଇଯାଇଥିବା ବେଳେ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସର ଚଢ଼ଉ ଜାରି ରହିଛି।
