ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦରମା ଓ ଅବସରକାଳୀନ ସହାୟତା ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର

43

କଟକ (ବିକ୍ରମ କେଶରୀ ସେନାପତିଙ୍କ ରିପୋର୍ଟ): ସରକାରୀ ମାନ୍ୟତା ପ୍ରଦାନ ଏବଂ ମାସିକ ଦରମା ବୃଦ୍ଧି ଭଳି ୭ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ଧାରଣାରେ ବସିଥିବା ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛନ୍ତି। ସରକାର ସେମାନଙ୍କ ଦରମା ସମେତ ଅବସରକାଳୀନ ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ରାଶିରେ ବୃଦ୍ଧି କରିଛନ୍ତି। ଶୁକ୍ରବାର ବିଧାନସଭା ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ସହାୟିକାମାନଙ୍କ ମାସିକ ଦରମା ୫ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। କେବଳ ମାସିକ ଦରମା ନୁହେଁ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଲେ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ମଧ୍ୟ ସରକାର ୨ ଲକ୍ଷ ଟଙ୍କାରୁ ଦୁଇଗୁଣ ବଢ଼ାଇ ୪ ଲକ୍ଷ ଟଙ୍କା କରିଛନ୍ତି।

ଏହା ସହିତ ଅଙ୍ଗନବାଡ଼ି କର୍ମୀମାନଙ୍କ ଅବସରକାଳୀନ ଆର୍ଥିକ ସହାୟତା ରାଶିକୁ ପୂର୍ବର ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅନୁରୂପ ଭାବେ ସହାୟିକାମାନଙ୍କ ଅବସରକାଳୀନ ସହାୟତା ରାଶିକୁ ୫୦ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି।

ସୂଚନାଯୋଗ୍ୟ ଯେ, ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦରମା ପ୍ରଦାନ, ସରକାରୀ କର୍ମଚାରୀର ମାନ୍ୟତା, ଅବସରକାଳୀନ ଭତ୍ତା ଏବଂ ମୃତ୍ୟୁକାଳୀନ ସହାୟତା ଭଳି ୭ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମୀମାନେ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପ୍ରାୟ ୪ ଦିନ ଧରି ଖୋଲା ଆକାଶ ତଳେ ପ୍ରବଳ ଶୀତ କାକରରେ ପଡ଼ି ରହି ସେମାନେ ନିଜର ହକ୍ ପାଇଁ ଧାରଣା ଦେଇଥିଲେ। ତେବେ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଦରମା ଓ ଅନ୍ୟାନ୍ୟ ସହାୟତା ବୃଦ୍ଧି ନେଇ ଘୋଷଣା କରାଯିବା ପରେ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀମାନେ ସନ୍ତୋଷ ପ୍ରକାଶ କରିବା ସହ ଧାରଣାରୁ ଓହରି ଯାଇଛନ୍ତି।

Share