ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ସହ ଚଳିତ ଆଇପିଏଲ୍‌ରେ ହୋଇଥିବା ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବାଜି ମାରି ନେଇଛି। ବୁଧବାର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଘରୋଇ ଚେନ୍ନାଇ ୨୭ ରନ୍‌ରେ ଦିଲ୍ଲୀକୁ ହରାଇଛି। ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୧୪୦/୮ ସ୍କୋରରେ ଅଟକି ଯାଇଥିଲା। ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ପାୱାରପ୍ଲେ ମଧ୍ୟରେ ଡେଭିଡ୍‌ ୱାର୍ଣ୍ଣର (୦),‌ ଫିଲ୍‌ ସଲ୍ଟ (୧୭) ଓ ମିଚେଲ ମାର୍ଶ (୫)ଙ୍କୁ ହରାଇଥିଲା। ମନିଷ ପାଣ୍ଡେ ଓ ରିଲି ରୁସୋ ପାଳି ସମ୍ଭାଳିଥିଲେ। ଚତୁର୍ଥ ୱିକେଟ୍‌ରେ ଏହି ଯୋଡ଼ି ୫୯ ରନ୍‌ ‌ସଂଗ୍ରହ କରିବା ପରେ ମଥିସା ପଥିରଣାଙ୍କ ୟର୍କରରେ ପାଣ୍ଡେ ଏଲ୍‌ବିଡବ୍ଲୁ ହୋଇଥିଲେ। ରୁସୋ ମଧ୍ୟ ଜାଦେଜାଙ୍କୁ ବଡ଼ ସଟ୍‌ ମାରିବାକୁ ଯାଇ ପଥିରଣାଙ୍କ ହାତରେ ଧରାପଡ଼ିଥିଲେ। ପରେ ଅକ୍ଷର ପଟେଲ ଦ୍ରୁତ ଖେଳିବାକୁ ଯାଇ ପଥିରଣାଙ୍କ ଧିମା ବଲ୍‌କୁ ପରଖିବାରେ ବିଫଳ ହେବାରୁ ନିଜ ୱିକେଟ୍‌ ହରାଇଥିଲେ। ଶେଷରେ ଚେନ୍ନାଇ ବିଜୟ ମୁକୁଟ ପିନ୍ଧି ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି।
ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସତ୍ତ୍ବେ ଦୁଇଟି ବଡ଼ ଓଭର ଯୋଗୁଁ ଚେନ୍ନାଇ ସୁପରକିଙ୍ଗ୍ସ ୧୬୭/୮ ସ୍କୋର କରିଥିଲା। ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ବ୍ୟାଟିଂ ନେଇଥିଲେ ବି ଚେନ୍ନାଇ ବ୍ୟାଟରଙ୍କୁ ହାତଖୋଲା ସଟ୍‌ ଖେଳିବାକୁ ଅଧିକ ସୁଯୋଗ ମିଳିନଥିଲା। କେବଳ ୧୪ତମ ଓଭରରେ ଲଳିତ ଯାଦବଙ୍କଠାରୁ ଅମ୍ବାତି ରାୟୁଡୁ ଓ ଶିବମ ଦୁବେ ୨୩ ରନ୍‌ ବାହାର କରିଥିଲା ବେଳେ ୧୯ତମ ଓଭରରେ ଖଲିଲ ଅହମ୍ମଦଙ୍କଠାରୁ ରବୀନ୍ଦ୍ର ଜାଦେଜା ଓ ଧୋନି ୨୧ ରନ୍‌ ଆୟ କରିଥିଲେ। ଋତୁରାଜ ଗାଏକ୍ବାଡ (୨୪) ଓ ଡେଭନ କନୱେ (୧୦) ଆରମ୍ଭରୁ କିଛି ଭଲ ସଟ୍‌ ଖେଳିଥିଲେ ବି ତାହାକୁ ବଡ଼ ରନ୍‌ରେ ପରିଣତ କରିପାରିନଥିଲେ। ଅଜିଙ୍କ୍ୟ ରାହାଣେ (୨୧), ମୋଇନ୍‌ ଅଲ୍ଲୀ (୭) ଶୀଘ୍ର ଆଉଟ୍‌ ହେବାରୁ ମଧ୍ୟକ୍ରମରେ ଦୁବେ ଓ ରାୟୁଡୁଙ୍କ ଯୋଡ଼ି ଦଳକୁ ଶତକ ଅତିକ୍ରମ କରାଇବାରେ ସହାୟତା କରିଥିଲେ। ପଞ୍ଚମ ୱିକେଟ୍‌ରେ ୩୬ ରନ୍‌ ଯୋଡ଼ିଥିବା ଏହି ଯୋଡ଼ି ୧୪ ତମ ଓଭରରୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ଓଭରରେ ଦୁବେ (୨୫)ଙ୍କୁ ମ‌ିଚେଲ୍‌ ମାର୍ଶ ଆଉଟ୍‌ କରି ପୁଣି ଥରେ ଚେନ୍ନାଇ ଶିବିରରେ ନିରାଶା ଭରିଦେଇଥିଲେ। ଦୁଇ ଓଭର‌ ପରେ ରାୟୁଡୁ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଶେଷ ଆଡ଼କୁ ଜାଦେଜା ଓ ଧୋନି ୧୮ ବଲ୍‌ରୁ ୩୮ ରନ୍‌ ସଂଗ୍ରହ କରି ଦଳକୁ ସନ୍ତୋଷଜନକ ସ୍କୋରରେ ପହଞ୍ଚାଇଥିଲେ।

Share