Orrisa High Court 750x430

କଟକ ୨୨/୦୧: ୫ ଜଣ କଲେଜ ଛାତ୍ର ଭବିଷ୍ୟତରେ କିପରି ପଥଭ୍ରଷ୍ଟ ନହେବେ । ସେଥିଲାଗି ଚେତାବନୀ ସ୍ୱରୂପ ଏକ ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଏକ କଲେଜରେ ପଢ଼ୁଥିବା ୫ ଜଣ ଯୁକ୍ତ ୩ ଶେଷ ବର୍ଷର ଛାତ୍ର, ଚୌଦ୍ୱାର ଜେଲ ପରିଦର୍ଶନରେ ଯିବେ। ସେଠାକାର ସ୍ୱଛତା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ ।

ଏହାସହ ଜେଲ ଅଧିକ୍ଷକ ଦେଇଥିବା ସାର୍ଟିଫିକେଟକୁ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି । ଗତ ଡିସେମ୍ବର ୨୮ ତାରିଖରେ ଏକ ଘଟଣା ଘଟିଥିଲା । ଜଣେ କଲେଜ ଛାତ୍ରଙ୍କୁ ଧମକ ଚମକ ଦେବା ସହ ତାଙ୍କୁ ଯୁକ୍ତ ୩ ଶେଷ ବର୍ଷର ୫ ଜଣ ଛାତ୍ର ମାଡ଼ ମାରିଥିବା ନେଇ କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା । ତେବେ ମାମଲାର ସମାଧାନ ହୋଇସାରିଥିଲେବି ଅଭିଯୁକ୍ତ ଛାତ୍ର ମାନେ ଯେପରି ଭବିଷ୍ୟତରେ ବିପଥଗାମୀ ନହେବେ, ସେହି ଉଦ୍ୟେଶ୍ୟରେ ପୀଡିତ ଛାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା।

ତେବେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ ଶିବୋ ଶଙ୍କର ମିଶ୍ର ଏକ ଚେତାବନୀ ମୂଳକ ନିର୍ଦେଶନାମା ଜାରି କରିଛନ୍ତି । କୋର୍ଟଙ୍କ ନିର୍ଦେଶ ମୁତାବକ ୫ ଜଣ ଯାକ ଛାତ୍ର ଚୌଦ୍ୱାର ଜେଲ ପରି ଦର୍ଶନରେ ଯିବେ। ଜେଲରେ କିପରି ସ୍ୱଛତା ବଜାୟ ରହିବ, ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଜେଲ ଅଧିକ୍ଷକଙ୍କୁ ପ୍ରଦାନ କରିବେ । ତା ବଦଳରେ ଯେଉଁ ସାର୍ଟିଫିକେଟ ହାସଲ କରିବେ, ତାକୁ ୨ ସପ୍ତାହ ମଧ୍ୟରେ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦେଶ ହୋଇଛି।

Share