ଏହା ପୂର୍ବରୁ ସେ ୨୦୨୩ ଫେବ୍ରୁଆରି ୧୮ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ତେଲେଙ୍ଗାନାର ରାଜ୍ୟପାଳ ଏବଂ ମାର୍ଚ୍ଚରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପୁଡୁଚେରୀ ଉପରାଜ୍ୟପାଳ ଭାବେ ରାଧାକ୍ରିଷ୍ଣନ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ୧୯୯୮ ଓ ୧୯୯୯ରେ ସେ କୋଏମ୍ବାଟୁରରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ। ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଜଣେ ସ୍ବୟଂସେବକ। ସେ ଭାରତୀୟ ଜନସଂଘରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ବିଜେପିର ତାମିଲନାଡୁ ସଭାପତି ଭାବରେ ରାଧାକ୍ରିଷ୍ଣନ ନଦୀ ସଂଯୋଗ, ଆତଙ୍କବାଦର ମୁକାବିଲା ଏବଂ ଅସ୍ପୃଶ୍ୟତା ଦୂରୀକରଣ ଆଦି ପ୍ରସଙ୍ଗ ନେଇ ୯୩ଦିନିଆ ରଥଯାତ୍ରା ଆରମ୍ଭ କରିଥିଲେ। ସଂସଦରେ ସେ ବୟନ ଶିଳ୍ପ ସଂକ୍ରାନ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷତା କରିଥିଲେ ଏବଂ ଅର୍ଥ ଓ ସାର୍ବଜନୀନ ଉଦ୍ୟୋଗ ସମ୍ବନ୍ଧୀୟ ଅନେକ କମିଟିରେ ତାଙ୍କର ଯୋଗଦାନ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ବୋର୍ଡ ବୈଠକରେ ବିଜେପି ଅଧ୍ୟକ୍ଷ ନଡ୍ଡା ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

