ଅନ୍ୟପକ୍ଷରେ ଘଟଣା ଘଟିବା ସମୟରେ ବିଦ୍ୟୁତ୍‌‌ ସରବରାହ ସଂସ୍ଥା ‘ଟିପିସିଓଡିଏଲ୍‌’ର ଏକ  ଟିମ୍‌ ଗାଁ’ରେ ବିଲ୍‌ ଆଦାୟ କରୁଥିଲେ। ତେଣୁ ଖବର ପାଇ ତରବରିଆ ଭାବେ କର୍ମଚାରୀ ଘଟଣାସ୍ଥଳରୁ ଷ୍ଟେ’ ତାର ଖୋଲିନେଇ ଚାଲି ଯାଇଥିଲେ। ଏହାପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରଉ ପାଇଁ ଏକଜୁଟ ହେବା ସହ ବିଦ୍ୟୁତ୍‌ ଯନ୍ତ୍ରୀ, ସହଯୋଗୀ ଏବଂ ଲାଇନ୍‌ମ୍ୟାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍‌ ହସ୍‌ପିଟାଲରେ ପୁଲିସ ମୃତଦେହକୁ ଅଟକ ରଖିଥିଲେ। କିନ୍ତୁ ପରେ ମୃତଦେହକୁ ଛାଡ଼ିଥିଲେ ମଧ୍ୟ ଗାଁ’ରେ ପହଞ୍ଚିବାବେଳକୁ ଉତ୍ତେଜନା ବୃଦ୍ଧି ପାଇଥିଲା। ବାଲିପାଟଣା ଛକରେ ମୃତଦେହ ରଖି ସନ୍ଧ୍ୟାରେ ଶହ ଶହ ଲୋକ ରାସ୍ତା ଅବରୋଧ କରିଥିଲେ। ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ସହ ଏକ ଟିମ୍‌ ଗାଁରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଚନ୍ଦନଙ୍କ ଜେଜେବାପା ଚନ୍ଦ୍ରଶେଖର ଭୋଇଙ୍କ ଅଭିଯୋଗ ଭିତ୍ତିରେ ବିଦ୍ୟୁତ୍‌‌ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶ୍ରୀ ପାଢ଼ୀ କହିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସତ୍ତ୍ବେ ରାସ୍ତା ଅବରୋଧ ଜାରି ରହିଛି।

ଫଳରେ ବାଲିପାଟଣା ଛକର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ମୃତକ ଚନ୍ଦନ ସ୍ଥାନୀୟ କୁଳନ୍ତିରା ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ। ‘ଫନି’ ବାତ୍ୟା ପରେ ତାଙ୍କ ଘର ପାଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରୁ ଷ୍ଟେ’ ତାର ତାଙ୍କ ଅଗଣାରେ ଥିବା ଚାକୁଣ୍ଡା ଗଛରେ ବନ୍ଧା ହୋଇଥିଲା। ଏହା ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଚନ୍ଦନଙ୍କ ଜେ‌ଜେ ଚନ୍ଦ୍ରଶେଖର ଓ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍‌ କର୍ମଚାରୀଙ୍କୁ ଏହାକୁ ହଟାଇବାକୁ କହିଥିଲେ। ହେଲେ ଏଥି ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏକ ଜୀବନ ଅକାଳରେ ଚାଲିଗଲା ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ବାହାନ ଭୋଇ, ସମିତି ସଭ୍ୟା ନମିତା ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ ପ୍ରମୁଖ ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଏବଂ ବିଦ୍ୟୁତ୍‌ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।